ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗଢ଼ିପାରନ୍ତି ନୂଆ ଦଳ: ପିକେଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା 

165

କନକ ବ୍ୟୁରୋ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ ନେଇ ରାଜନୀତି ଗଳିରେ ଆଜିକାଲି ବେଶ ଚର୍ଚ୍ଚା ଚାଲିଛି । ଗତ ସପ୍ତାହରେ କଂଗ୍ରେସର ବଡ ଅଫରକୁ ପ୍ରତ୍ୟାଖାନ କରି ପିକେ ଖବରର ଶିରୋନାମା ପାଲଟିଥିଲେ । ଏବେ ପୁଣି ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସୁଛି । ସୋମବାର ସକାଳୁ ପ୍ରଶାନ୍ତଙ୍କ ଏକ ଟୁଇଟ ଦିନ ତମାମ ଚର୍ଚ୍ଚା ବିଷୟ ପାଲଟିଛି । ରାଜନୀତିର ପ୍ରଚ୍ଛଦପଟ ନାୟକ ପ୍ରଶାନ୍ତ ଆଗକୁ କୌଣସି ଦଳ ପାଇଁ ପରାର୍ମଶଦାତା ନହୋଇ ହୁଏତ ନିଜର ଦଳ ଗଠନ କରିପାରନ୍ତି । ନିର୍ବାଚନ ରଣନୀତିକାର ପିକେ ଟୁଇଟ କରି ଯେଉଁ କଥା ଲେଖିଛନ୍ତି ସେଥିରୁ ଗୋଟେ କଥା ନିଶ୍ଚିତ କି ଖୁବ କମ ଦିନ ଭିତରେ କୌଣସି ବଡ ଘୋଷଣା କରିପାରନ୍ତି  ।

କଂଗ୍ରେସ ସହ ଫାଟ ଦେଖାଯିବା ପରେ ଏବେ ନିଜ ନୂଆ ମିଶନ ମୁହାଁ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର । ମନ ନ ମିଶିବାରୁ କଂଗ୍ରେସର ହାତ ଛାଡିଥିବା ପିକେ ଏବେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଦେବାକୁ ଯୋଜନା କରୁଛନ୍ତି । ସୋମବାର ସକାଳୁ  ତାଙ୍କର ଗୋଟେ ଟୁଇଟ ଏହି ନୂଆ ସଙ୍କେତ ଦେଇଛି । ଟୁଇଟରୁ ଅନୁମାନ କରାଯାଉଛି ଯେ  ପ୍ରଶାନ୍ତ ଖୁବ ଶିଘ୍ର ନୂଆ ରାଜନୈତିକ ଦଳ ଗଠନ କରି ପାରନ୍ତି । ଟୁଇଟରେ ପ୍ରଶାନ୍ତ ଲେଖିଛନ୍ତି

ଗଣତନ୍ତ୍ର ସହ ଏବେ ସିଧାସଳଖ ସାମିଲ ହେବା ଏବଂ ଲୋକଙ୍କ ପାଇଁ କାର୍ଯ୍ୟନୀତି ପ୍ରସ୍ତୁତ କରିବାର ସମୟ ଆସିଛି । ପ୍ରକୃତ ମାଲିକ  ହୋଇ ଜନତାଙ୍କ ନିକଟରେ ପହଁଚି ସେମାନଙ୍କ ସମସ୍ୟା ବୁଝିବା ପାଇଁ ସମୟ ଆସିଛି । ଏହି ନୂଆ ଯାତ୍ରା ବିହାରରରୁ ଆରମ୍ଭ ହେବ । ବିହାରରୁ ଆରମ୍ଭ ହେବାକୁ ଥିବା ପ୍ରଶାନ୍ତଙ୍କ ଏହି ନୂଆ ଅଭିଯାନର ନାଁ ରହିିଛି ଜନ ସୁରାଜ ଅର୍ଥାତ ଲୋକଙ୍କ ପାଇଁ ସୁଶାସନ ।

କଂଗ୍ରେସ ସହ ସର୍ମ୍ପକ ତୁଟିବା ପରେ ଆଗକୁ ପ୍ରଶାନ୍ତଙ୍କ ଯୋଜନା କଣ ରହିବ? ତାଙ୍କର ରାଜନୈତିକ ଭବିଷ୍ୟତ କେଉଁ ଦିଗକୁ ଯିବ ଏନେଇ କଳ୍ପନା ଲାଗି ରହିଥିଲା । ବର୍ତମାନ ତାଙ୍କର ଏହି ଟୁଇଟ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠାଇ ତାଙ୍କ ଆଗାମୀ ଯୋଜନା ସମ୍ବନ୍ଧରେ ସଙ୍କେତ ଦେଉଛନ୍ତିି ପିକେ । ଯଦିଓ ପିକେ ରାଜନୈତିକ ଦଳ ଗଠନ କରିବା ନେଇ ସିଧାସଳଖ ଘୋଷଣା କରିନାହାଁନ୍ତି କିନ୍ତୁ ଏହି ଟୁଇଟ ତାଙ୍କର ନୂଆ ରଜନୈତିକ ଯୋଜନାର ଆଭାସ ଦେଉଛି ।

ବିହାର ରାଜନୀତିକୁ ନେଇ ପ୍ରଶାନ୍ତଙ୍କ କାଫି ଅଭିଜ୍ଞତା ରହିଛି । ୨୦୨୦ ବିଧାନସଭା ନିର୍ବାଚନ ହେଉ କିମ୍ବା ଜେଡିୟୁ ପାଇଁ ରଣନୀତି ପ୍ରସ୍ତୁତି । ବିହାର ରାଜନୈତିକ ସ୍ଥିତିକୁ ନେଇ ବେଶ ଭଲଭାବେ ପିକେ ଅବଗତ ତେଣୁ ନୂଆ ଦଳ ଗଢି  ବିହାରରେ କିଭଳି ନିଜର ସ୍ଥିତି ମଜବୁତ କରିବେ ସେ ଦିଗରେ ପିକେଙ୍କୁ ତାଙ୍କର ଏହି ପୂର୍ବ ଅଭିଜ୍ଞତା ସହାୟକ ହୋଇପାରେ ।

ବର୍ତମାନ ପିକେ  ବିହାରଗସ୍ତରେ ଅଛନ୍ତି ଓ ବିଭିନ୍ନ ଜିଲ୍ଲା ବୁଲି ବୁଲି ଜନସଭା କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । କହିବାକୁ ଗଲେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପିକେ ହୁଏତ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି ।

ଆଗକୁ ପିକେଙ୍କ ରାଜନୀତୀ ରଣନୀତି କଣ ରହିବ ସେ ବାବଦରେ ମେ ୪ ତାରିଖରେ ହେବାକୁ ଥିବା ସାମ୍ବାଦିକ ସମ୍ମୀଳନୀରେ ଜଣାପଡିପାରେ । ହୁଏତ ଏହି ଦିନ ପିକେ କିଛି ବଡ ଘୋଷଣା କରିପାରନ୍ତି । ତେବେ ଯାହା ବି ହେଉ ବିହାର ମାଟିରେ ପ୍ରଶାନ୍ତଙ୍କ ନୂଆ ଯୋଜନା କେତେଦୁର ସଫଳ ହେଉଛି ସେକଥା ଆଗାମୀ ଦିନରେ ଜଣାପଡିବ ।