୧୬ ତାରିଖରେ ହେବ ଦିଲ୍ଲୀ ମେୟର ନିର୍ବାଚନ, ଗତ ୩ଟି ବୈଠକରେ ହୋଇପାରି ନାହିଁ ନିଷ୍ପତ୍ତି

99

କନକ ବ୍ୟୁରୋ : ଦୁଇଦୁଇଥର ବୈଠକ ବିଫଳ ହେବା ପରେ ଏବେ ପୁଣି ଫେବୃଆରୀ ୧୬ ତାରିଖରେ ଦିଲ୍ଲୀ ନଗର ନିଗମର ମେୟର, ଡେପୁଟୀ ମେୟର ଓ ଷ୍ଟାଣ୍ଡିଂ କମିଟିର ୬ ସଦସ୍ୟଙ୍କ ପାଇଁ ନିର୍ବାଚନ ହେବ । ଏନେଇ ଦିଲ୍ଲୀ ନଗର ନିଗମର ବୈଠକ ୧୬ ତାରିଖକୁ ସ୍ଥିର କରାଯାଇଛି । ଅଧିକାରୀଙ୍କ ସୂଚନା ମୁତାବକ ଦିଲ୍ଲୀ ଉପରାଜ୍ୟପାଳ ଆଜି ସକାଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମେୟର ନିର୍ବାଚନ କରିବାକୁ ପଠାଇଥିବା ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ବିଜେପି ଓ ଆମ୍ ଆଦମୀ ପାର୍ଟି ସଦସ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ପାଇଁ ଏହି ନିର୍ବାଚନ ୩ଥର ସ୍ଥଗିତ ହୋଇଛି ।

ଉପ ରାଜ୍ୟପାଳଙ୍କ ଦ୍ୱାରା ମନୋନୀତ ୧୦ଜଣ ସଦସ୍ୟଙ୍କୁ ଭୋଟ ଦେବାକୁ ଅନୁମତି ମିଳିବା ପରେ ଆମ୍ ଆଦମୀ ପାର୍ଟି ସଦସ୍ୟ ଏହାକୁ ଘୋର ବିରୋଧ କରିଥିଲେ । ଫଳରେ ନିଗମ ବୈଠକକୁ ରଦ୍ଦ କରାଯାଇଥିଲା । ସେପଟେ ନଗର ନିଗମର ନିୟମ ମୁତାବକ ମନୋନୀତ ସଦସ୍ୟମାନେ ଉଚ୍ଚ ସଦନର ବୈଠକରେ ମତଦାନ କରିପାରିବେ ନାହିଁ ।

ଆପ୍ ସଦସ୍ୟମାନେ ଅଭିଯୋଗ କରିଛନ୍ତି କି ବିଜେପି ଉପ ରାଜ୍ୟପାଳଙ୍କୁ ହାତ କରି କୌଣସି ପରିସ୍ଥିତିରେ ଦିଲ୍ଲୀ ନଗରନିଗମର ମେୟର ପଦ ଦଖଲ କରିବାକୁ ଚାହୁଁଛି । ସୂଚନା ଥାଉକି ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି । ଡିସେମ୍ବରରେ ହୋଇଥିବା ଏମସିଡି ନିର୍ବାଚନରେ ମୋଟ ୨୫୦ ଆସନରୁ ଆପ୍ କୁ ୧୩୪ଟି ଆସନ ମିଳିଥିବା ବେଳେ ବିଜେପିକୁ ୧୦୪ ଆସନ ମିଳିଥିଲା ।