ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ । କହିଲେ, ସମ୍ଭବତଃ କମିସନଙ୍କ ବିରୋଧରେ ହତ୍ୟା ମାମଲା କରାଯିବା ଉଚିତ ।

194

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଏବେ ଭୟଙ୍କର ପରିସ୍ଥିତି ଦେଖାଦେଇଛି । ଏ ନେଇ ଏକ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଆଜି ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି । କରୋନାର ଦ୍ୱିତୀୟ ଲହର ପାଇଁ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ଦାୟୀ କହିଛନ୍ତି । କୋର୍ଟ କହିଛନ୍ତି, ନିର୍ବାଚନ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ବି ରୁଜୁ କରାଯିବା ଉଚିତ । କାରଣ ସଙ୍କଟ ପରେ ବି ରାଜନୈତିକ ଦଳଗୁଡିକର ରାଲିକୁ ରୋକିନଥିଲେ କମିସନ । ଏବେ କୋଭିଡ ଗାଇଡଲାଇନ ପାଳନ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ ଭୋଟଗଣତିକୁ ବନ୍ଦ କରିବାକୁ ବି ଚେତାବନୀ ଦେଇଛନ୍ତି ମାଡ୍ରାସ ହାଇକୋର୍ଟ ।

ସାରା ଦେଶରେ କୋଭିଡର ଦ୍ୱିତୀୟ ଲହରକୁ ନେଇ ଭୟ ବଢିଥିବାବେଳେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକର ରାଲି ଓ ସମାବେଶ ନେଇ ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ । ଏମିତି କଥା କହିଛନ୍ତି ଯାହା ପୂର୍ବରୁ କେବେ ବି ନିର୍ବାଚନ କମିଶନଙ୍କ ବିରୋଧରେ କୁହାଯାଇନଥିଲା । କୋର୍ଟ କହିଛନ୍ତି, ସମ୍ଭବତଃ ନିର୍ବାଚନ କମିଶନ ଓ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଉଚିତ । ଏପରିକି ନିର୍ବାଚନ କମିଶନଙ୍କୁ ଏକ ଦାୟିତ୍ୱହୀନ ସଂସ୍ଥା ବୋଲି କହିବାକୁ ବି ପଛାଇନାହାନ୍ତି କୋର୍ଟ । ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜିବ ବାନାର୍ଜୀ ଓ ଏସ. ରାମୂର୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି…

  • ଆଜି ଯେଉଁ କୋଭିଡ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ନିର୍ବାଚନ କମିସନ ଦାୟୀ
  • କୋଭିଡ ପ୍ରୋଟକଲ ମାନିବାକୁ କୋର୍ଟ ବାରମ୍ବାର ନିର୍ଦ୍ଦେଶ ସତ୍ୱେ ରାଜନୈତିକ ଦଳଗୁଡିକୁ ରାଲିକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କମିସନ
  • ଯଦି ମେ ୨ ତାରିଖ ଭୋଟଗଣତି ପୂର୍ବରୁ କୋଭିଡ ପ୍ରୋଟକଲ ପାଳନ ପାଇଁ କୌଣସି ବ୍ଲୁପ୍ରିଂଟ ପ୍ରସ୍ତୁତ କରାନଯାଏ ତାହା ହେଲେ ଭୋଟ ଗଣତିକୁ ବି ଆମେ ରୋକିଦେଇପାରୁ
  • ସ୍ୱାସ୍ଥ୍ୟ ପ୍ରସଙ୍ଗ ବେଶ ଗୁରୁତ୍ୱପୂର୍ଣ୍ଣ,କିନ୍ତୁ କ୍ଷୋଭର ସହ କହିବାକୁ ପଡୁଛି କୋର୍ଟଙ୍କୁ ଏ ବିଷୟରେ ମନେପକାଇବାକୁ ପଡୁଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରି ଭୋଟଗଣତି ବେଳେ ବ୍ଲୁ ପ୍ରିଂଟ କଣ ରହିବ ସେ ନେଇ ଏପ୍ରିଲ ୩୦ ତାରିଖ ସୁଦ୍ଧା ଜଣାଇବାକୁ କହିଛନ୍ତି ମାଡ୍ରାସ ହାଇକୋର୍ଟ । ତାମିଲନାଡୁର ଜଣେ ମନ୍ତ୍ରୀଙ୍କ ଦ୍ୱାରା ମାଡ୍ରାସ ହାଇକୋର୍ଟରେ ଦାୟର ଏକ ଜନସ୍ୱାର୍ଥ ମାମଲାର ବିଚାର ଚାଲିଥିବାବେଳେ ମାଡ୍ରାସ ହାଇକୋର୍ଟ ଏଭଳି ଟିପ୍ପଣୀ ଦେଇଛନ୍ତି ।