ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । ହତ୍ୟା ମାମଲା ରୁଜୁ କରିବାକୁ ଦେଲେ ଚେତାବନୀ

215

କନକ ବ୍ୟୁରୋ : ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଛନ୍ତି ମାଡ୍ରାସ ହାଇକୋର୍ଟ । କୋର୍ଟ କହିଛନ୍ତି କି, ଗତ କିଛିମାସ ହେବ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ନିର୍ବାଚନ କମିସନ ସେମାନଙ୍କୁ ନ ଅଟକାଇ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଛନ୍ତି । ତେଣୁ ଏହି ପ୍ରତିଷ୍ଠାନ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ୍ ବୋଲି ଅଦାଲତ କହିଛନ୍ତି ।

ଏନେଇ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ତିକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ପ୍ରଥମ ଖଣ୍ଡପୀଠ କହିଛନ୍ତି କି ଆଜି ଦେଶର କରୋନା ସଂକ୍ରମଣ ଯେଭଳି ସୁନାମୀ ଭଳି ମାଡିଚାଲିଛି ସେଥିପାଇଁ ଏକମାତ୍ର ପ୍ରତିଷ୍ଠାନ ନିର୍ବାଚନ କମିସନ ଦାୟୀ । ସେ ନିର୍ବାଚନ କମିସନଙ୍କୁ ଭତ୍ସନା କରି କହିଥିଲେ କି କୋର୍ଟ ଯେତେବେେୂ କୋଭିଡ ନିୟମ ପାଳନ କରିବାକୁ ବାରମ୍ବାର କହୁଥିଲେ ସେତେବେଳେ ନିର୍ବାଚନ କମିସନ ରାଲି କରୁଥିବା ରାଜନୈତିକ ଦଳମାନଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।

ଠିକଣା ଭାବେ କୋଭିଡ୍‌ ନିୟମ ପାଳନ କରାଯିବା ସଂକ୍ରାନ୍ତରେ ମେ ୨ ତାରିଖ ପୂର୍ବରୁ ନକ୍ସା ପ୍ରସ୍ତୁତି ନ କଲେ ଆମେ ଭୋଟ୍‌ ଗଣତି ବନ୍ଦ କରାଇଦେବୁ। ସମ୍ପ୍ରତି ଜନସ୍ୱାସ୍ଥ୍ୟ ହେଉଛି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ, ଅଧିକ ସଂକ୍ରମଣ ନ କରାଇ ଦେବା ପାଇଁ ମେ ୨ ତାରିଖ ଦିନ କୌଣସି ମତେ ଭୋଟ୍‌ ଗଣାଇ ଦେବୁନାହିଁ।
ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍‌ ଆର୍‌ ବିଜୟଭାସ୍କର କରିଥିବା ଆବେଦନର ରାୟ ଶୁଣାଇ ଖଣ୍ଡପୀଠ ଏଭଳି ଆଦେଶ ଦେଇଛନ୍ତି। ବିଜୟଭାସ୍କର ଆବେଦନ କରିଥିଲେ କି, କରୁର ନିର୍ବାଚନ ମଣ୍ଡଳୀରେ ୭୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ମେ ୨ରେ ହେବାକୁ ଥିବା ଭୋଟ୍‌ ଗଣନାରେ କଟକଣା ସହ ନିରପେକ୍ଷତା ବଜାୟ ରଖିବା ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିସନ୍‌କୁ ଅଦାଲତ ନିର୍ଦେଶ ଦିଅନ୍ତୁ।