ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ! ପ୍ରତିନିଧି ଦଳ ପାଖରେ ନିଜ ନିଜର ମତ ରଖିଲେ ବିଭିନ୍ନ ରାଜନୈତିକ ଦଳର ନେତା

202

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତି ନେଇ ଚାଲିଛି ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳର ସମୀକ୍ଷା ବୈଠକ । ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ ହୋଇ ନିଜ ନିଜର ପକ୍ଷ ରଖିଛନ୍ତି । ବିରୋଧୀ ଦଳ ନେତାଙ୍କ ସମେତ ବିଜେଡି, ବିଜେପି ଓ ପ୍ରମୁଖ ରାଜନୈତିକ ଦଳର ନେତାମାନେ ନିଜ ନିଜର ମତ ରଖିଛନ୍ତି । ଆଜିଠାରୁ ୩ଦିନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ଦିଲ୍ଲୀରୁ ଆସିଥିବା ୬ଜଣିଆ ଟିମ୍ । ନିର୍ବାଚନ କମିଶନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ର ଭୂଷଣ କୁମାର, ଡିକେ ଶର୍ମା, ସେଫାଳି ସରଣ, ନିଖିଳ କୁମାର, ରାକେଶ କୁମାର ବୈଠକ କରୁଛନ୍ତି । ଆସନ୍ତା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ରାଜ୍ୟ ସରକାର କେତେ ପ୍ରସ୍ତୁତ ରହିଛନ୍ତି ସେନେଇ ଆଜିି ଦିନ ତମାମ ଟିକିନିଖି ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳ ।

ସବୁ ରାଜନୈତିକ ଦଳଙ୍କ ସହ ଆଜି ଆଲୋଚନା ପରେ ଆସନ୍ତାକାଲି ଏନଫୋର୍ସମେଂଟ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟ ନିର୍ବାଚନ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ଏସ୍ପି ଓ ୩ ଆରଡିସିଙ୍କ ସହ ବି ଆଲୋଚନା ହେବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରେ କେନ୍ଦ୍ର ଅର୍ଧସାମରିକ ବାହିନୀ ମୁଖ୍ୟ ଓ ପୋଲିସ ନୋଡାଲ ଅଫିସରଙ୍କ ସହ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟ ଶାସନ ସଚିବ, ଡିଜିପି , ଆଇନ ବିଭାଗ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ଟିମ୍ ।

ନିର୍ବାଚନ କମିଶନଙ୍କ ସହ ଆଲୋଚନା ପରେ ବିଜେପି ନେତା ଭୃଗୁବକ୍ସି ପାତ ପ୍ରତିକ୍ରିୟା ରଖିଛନ୍ତି । ବିଭିନ୍ନ ବୁଥ, ସରକାରୀ କଳର ଅପବ୍ୟହାର କରିବାର ଆଶଙ୍କା, ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମ ରୁପେ ବ୍ୟବହାର, ସରକାରୀ ଅଫିସରମାନେ ରେ ନିର୍ବାଚନକୁ ସରକାରୀସପକ୍ଷରେ ନିୟନ୍ତ୍ରଣ କରିବା ଆଦି ମାମଲା ନେଇ ନିର୍ବାଚନ କମିଶନଙ୍କ ଆଗରେ ନିଜର ପକ୍ଷ ରଖିଛି ବିଜେପି । ଗତ ପଂଚାୟତ ନିର୍ବାଚନରେ ବିଜେପିର କର୍ମୀମାନଙ୍କୁ ହତ୍ୟା କରାଯାଇଥିଲା । ଆଗକୁ ନିର୍ବାଚନ ଥିବାରୁ ଏନେଇ ମଧ୍ୟ ଇଲେକ୍ସନ କମିସନଙ୍କୁ ଅବଗତ କରାଇଛି ବିଜେପି । ଇଲେକ୍ସନ କମିସନ୍ ଉଚିତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

ଅନ୍ୟପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିର୍ବାଚନ କମିସନଙ୍କ ଆଗରେ ନିଜ ମତ ରଖିଛନ୍ତି । ନିରପେକ୍ଷ ନିର୍ବାଚନ ହେବା ସହ ଇଭିଏମ ମେସିନ ଉପରେ ପ୍ରଶିକ୍ଷଣ ଦିଆଯାଉ ବୋଲି ପରାମର୍ଶ ଦିଆଯାଉଛି । ଅର୍ଥବଳ, ବାହୁବଳ, ସରକାରୀ କଳକୁ କିପରି ନିୟନ୍ତ୍ରଣଳ କରାଯାଇପାରିବ ସେନେଇ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ।

ଏହାବ୍ୟତୀତ ବିଜେଡ଼ି ମୁଖ୍ୟପାତ୍ର ଅମର ପଟ୍ଟନାୟକ କହିଛନ୍ତି ବିଜେପୁର ଉପନିର୍ବାଚନ ସମୟରେ ହୋଇଥିବା ହିଂସାର ପୁନରାବୃତ୍ତି ନହେଉ ବୋଲି ନିର୍ବାଚନ କମିସନଙ୍କୁ କହିଛନ୍ତି । ହିଂସାରେ ବେଜେପିର ଯେଉଁ ନେତାମାନେ ଜଡ଼ିତ ଥିଲେ, ତାଙ୍କ ବିଷୟରେ ଅବଗତ କରାଯାଇଥିବା କଥା କହିଛନ୍ତି । ଏହାବ୍ୟତୀତ ପଟ୍ରୋଲ ପମ୍ପରେ ଟଙ୍କା ରଖାଯାଇ, ସେଠାରୁ କିପରି ଅନ୍ୟ ସ୍ଥାନକୁ ଟଙ୍କା ପଠାଯାଉଛି , ସେ ବିଷୟରେ ଦୃଢ଼ ନଜର ରଖାଯାଉ ବୋଲି ମଧ୍ୟ କହିଛନ୍ତି । ଯେଉଁସବୁ ସ୍ଥାନରେ ସାମ୍ପ୍ରଦାୟଗତ ଭେଦଭାବ ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଉଛି, ସେଉପରେ କିପରି ରୋକ ଲଗାଯାଇପାରିବ ସେ ନେଇ ମଧ୍ୟ ନିର୍ବାଚନ କମିସନଙ୍କୁ ଅବଗତ କରାଇଛନ୍ତି । ସୋସିଆଲ ମିଡ଼ିଆରେ ମିଛ ଖବର ପ୍ରସାର ଉପରେ କିପରି ରୋଗ ଲଗାଯାଇପାରିବ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।