ପିପିଲିରେ ଜୋରଧରୁଛି ନିର୍ବାଚନ ପ୍ରଚାର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କରିବେ ଭର୍ଚୁଆଲ ପ୍ରଚାର । ୧୩ରେ ଆସିବେ ଧର୍ମେନ୍ଦ୍ର । 

107

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଭୋଟ ହାତେଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ଆଜି ପିପିଲି ନିର୍ବାଚନ ମଣ୍ଡଳୀ ଡେଲାଙ୍ଗ ପୁରୁଷୋତମ ପୁରରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ହଜାରରୁ ଅଧିକ ଯୁବକଙ୍କୁ ନେଇ ସମାବେଶ କରିଛନ୍ତି । ଡେଲାଙ୍ଗ ପିପିଲିର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହି ଭୋଟ ମାଗିଥିଲେ ରୁଦ୍ର । ବିଜେଡି ପୁରୁଖା ନେତାଙ୍କ ଉପସ୍ଥିତିରେ ବିକାଶର କଥା ଦୋହରାଇଥିଲେ ରୁଦ୍ର ମହାରଥୀ ।

ସେପଟେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ପ୍ରଚାର ମଇଦାନରେ ସାମିଲ ହୋଇଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ । ପରିବର୍ତନର ନାରା ଦେଇ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରିଛି ବିଜେପି ।

ସେପଟେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ ଏବେ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତର କହିଛନ୍ତି । ତେବେ ସେ ପ୍ରଚାର ମଇଦାନକୁ ଆସିବା ନେଇ ସନ୍ଦେହ ପ୍ରକାଶ ପାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଆଇସୋଲେସନରେ ଅଛନ୍ତି ।

ଏହାରି ଭିତରେ ସୋମବାର ପିପିଲି ଉପନିର୍ବାନ ପାଇଁ ଭର୍ଚୁଆନ ମାଧ୍ୟମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିପିଲି ବ୍ଲକ ଓ ଏନଏସି, ଡ଼େଲାଙ୍ଗ ବ୍ଲକରେ ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ନବୀନ । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି ।