ମହାରାଷ୍ଟ୍ର ରାଜନୀତିରେ ଆସିଲା ସବୁଠୁ ବଡ଼ ଟ୍ୱିଷ୍ଟ । ଏକନାଥ ସିନ୍ଦେ ହେବେ ମୁଖ୍ୟମନ୍ତ୍ରୀ । ସମର୍ଥନ କରିବ ବିଜେପି ।

124

କନକ ବ୍ୟୁରୋ: ରିସ୍କ ନେଲେ, ଉପହାର ପାଇଲେ । ମହାବିକାଶ ଅଘାଡି ସରକାରକୁ ଭାଙ୍ଗିବାରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ନେତୃତ୍ୱ ନେଇଥିଲେ । ଆଉ ଏବେ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଉପହାର ଦେଇଛି ରାଜ୍ୟରେ ସର୍ବାଧିକ ବିଧାୟକଙ୍କ ସମର୍ଥନ ରଖିଥିବା ଦଳ ବିଜେପି । ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ବିଜେପି ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଭାବମୂର୍ତ୍ତିକୁ ବଢାଇବାକୁ ପ୍ରୟାସ କରିଛି ।

  • ମହାରାଷ୍ଟ୍ରରେ ସିନ୍ଦେ ରାଜ୍
  • ସିନ୍ଦେଙ୍କୁ ଫଡନଭିସଙ୍କ ସମର୍ଥନ

ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦେବେନ୍ଦ୍ର ଫଡନଭିସ ହିଁ ମୁଖ୍ୟମନ୍ତ୍ରୀ ହେବେ କୁହାଯାଉଥିଲା । କିନ୍ତୁ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦେବେନ୍ଦ୍ର ଫଡନଭିସ ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଏପରି କରି ବିଜେପି କ୍ଷମତାଲୋଭୀ ନୁହେଁ ବୋଲି ବାର୍ତ୍ତା ଦେଇ ନିଜର ଭାବମୂର୍ତ୍ତି ବଢ଼ାଇବାକୁ ପ୍ରୟାସ କରିଛି ।

ଦିନେ ଅଟୋ ଚାଳକ ଥିବା ଥାନେର ଏହି ମରାଠି ନେତା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ଏକଥା ହୁଏତ ସେଦିନ କେହି ଭାବିନଥିବେ । ସିନ୍ଦେଙ୍କ ନାଁ ଫଡ଼ନଭିସ୍ ଘୋଷଣା କରିବା ପରେ ତାଙ୍କ ସମର୍ଥକ ବାଜା ବଜାଇ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି । ୨୦୧୯ରେ ବିଜେପି ଏବଂ ଶିବସେନା ମେଣ୍ଟ ସରକାରରେ ଏକନାଥ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚାରେ ଥିଲେ । ତେବେ ୯୪୦ ଦିନ ପରେ ଏକନାଥ ସେହି ଆସନରେ ବସିବାକୁ ଯାଉଛନ୍ତି । ତେବେ ଦେବେନ୍ଦ୍ର ଫଡନଭିସ ଏକନାଥଙ୍କ ନାଁ ଘୋଷଣା କରିବା ପରେ ସେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

୨୮୮ ବିଧାନସଭା ଆସନରୁ ଏକନାଥଙ୍କ ପାଖରେ ୪୦ ଶିବସେନା ବିଧାୟକଙ୍କ ସହ ୧୦ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ସେହିପରି ବିଜେପି ପାଖରେ ୧୦୬ ବିଧାୟକଙ୍କ ସମର୍ଥନ ରହିଛି । ସରକାର ଗଢିବାକୁ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଥିବା ବେଳେ ଏବେ ଏକନାଥ ଗୋଷ୍ଠୀ ଏବଂ ବିଜେପି ପାଖରେ ୧୫୬ ବିଧାୟକଙ୍କ ସହିତ ଅନ୍ୟାନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବା ସୂଚନା ରହିଛି ।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବାବଦରେ ଫେସୁବକରେ ଲାଇଭ ଆସି ବିଜେପିକୁ ପରୋକ୍ଷରେ ଆକ୍ଷେପ କରି ଦିନିକିଆ ସରକାର କହିଥିଲେ । ବିଦ୍ରୋହୀଙ୍କ ସମର୍ଥନ ପାଇଲେ ବି ଏହି ଦିନିକିଆ ସରକାର ବେଶୀ ଦିନ ଚାଲି ପାରିବ ନାହିଁ ବୋଲି ଉଦ୍ଧବ କହିଥିଲେ । ଆଉ ବିଜେପି ଏବେ ମେଂଟରେ ଗଡବଡ ହେବାର ଆଶଙ୍କା ଦେଖି ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଇଛି ବୋଲି କୁହାଯାଉଛି । ପୂର୍ବରୁ ଦୁଇ ଥର ମନ୍ତ୍ରୀ ଥିଲେ ଏକନାଥ ସିନ୍ଦେ । ଆରଏସଏସ ସହ ଜଡିତ ଏହି ନେତାଙ୍କର କିନ୍ତୁ ସମସ୍ତ ଧର୍ମର ଭୋଟ୍ ବ୍ୟାଙ୍କକୁ ନିଜ ପାଖରେ ରଖିଛନ୍ତି । ତେଣୁ ଆଗାମୀ ଦିନରେ ଏକନାଥଙ୍କୁ ମୋହରା କରି ବିଜେପି ମୁସଲିମ ଭୋଟ୍ ପାଇବାକୁ ଲକ୍ଷ୍ୟ ରଖିଛି ବୋଲି କୁହାଯାଉଛି ।