ଆଗକୁ ବଢୁଛି ମହାରାଷ୍ଟ୍ର ମହାନାଟକ : ୫୧ ବିଧାୟକଙ୍କ ସମର୍ଥନ ପତ୍ର ନେଇ ମୁମ୍ବାଇ ଆସୁଛନ୍ତି ଏକନାଥ ସିନ୍ଦେ

ଫଡ଼ନଭିସଙ୍କ ସହ ଆଲୋଚନା ପରେ ଏକାଠି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ କରିବେ ଦାବି

243

କନକ ବ୍ୟୁରୋ : ଆଗକୁ ବଢୁଛି ମହାରାଷ୍ଟ୍ର ମହାନାଟକ । ଗୋଆରୁ ମୁମ୍ବାଇ ଆସୁଛନ୍ତି ଏକନାଥ ସିନ୍ଦେ । ୫୧ ବିଧାୟକଙ୍କ ସମର୍ଥନ ପତ୍ର ନେଇ ଏକନାଥ ସିନ୍ଦେ ମୁମ୍ବାଇ ଆସୁଛନ୍ତି । ଏକନାଥ ସିନ୍ଦେ କହିଛନ୍ତି ସେ ମୁମ୍ବାଇରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବେ । ଫଡନାଭିସ୍ ଓ ଏକନାଥ ସିନ୍ଦେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ ବୋଲି ଜଣାପଡ଼ିଛି । ଅପରାହ୍ଣ ୩ଟା ପରେ ଏମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିପାରନ୍ତି । ରାଜ୍ୟରେ ବିଜେପି ସବୁଠୁ ବଡ଼ ଦଳ ହୋଇଥିବାରୁ ସରକାର ଗଠନ ପାଇଁ ଦାବି କରିବ ଦଳ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ୍ ।

ସେପଟେ ସରକାର ଗଠନ ପାଇଁ ବିଜେପି ପକ୍ଷରୁ ଜୋରଦାର କସରତ ଆରମ୍ଭ ହୋଇଛି । ଫଡନାଭିସଙ୍କ ଘରେ କୋର କମିଟି ବୈଠକ ବସିଛି । ବୈଠକରେ ମହାରାଷ୍ଟ୍ର ବିଜେପି ପ୍ରଭାରୀ, ଦଳୀୟ ନେତା ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କ ପରି ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ସହ ମିଶି ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏହାରି ଭିତରେ ଯାହାଙ୍କୁ ଫଡନାଭିସ୍ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ତାହାର ଏକ ସମ୍ଭାବ୍ୟ ତାଲିକା ଆସିଛି । ଏହି ତାଲିକା ଅନୁସାରେ ଏକନାଥ ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ । ଶିବସେନାର ୧୨ ବାଗି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିପାରେ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଉଦ୍ଧବ ଠାକରେ ।