ଐତିହ୍ୟ ସହରର ମାନ୍ୟତା ପାଇବ ଏକାମ୍ର କ୍ଷେତ୍ର : ପୁରୀ ପରେ ଭୁବନେଶ୍ବର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି

317

କନକ ବ୍ୟୁରୋ : ଭୁବନେଶ୍ବରକୁ ଐତିହ୍ୟ ସହରର ମାନ୍ୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ପରେ ଭୁବନେଶ୍ବର ପାଇଁ ରାଜ୍ୟ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଭୁବନେଶ୍ବରକୁ ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ଏକାମ୍ର କ୍ଷେତ୍ର (ପୁରୁଣା ଭୁବନେଶ୍ବର)ର ଉନ୍ନତି କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ‘ଏକାମ୍ର କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କମିଟି’ ଗଠନ ହୋଇଛି । ଏଥିରେ ଉନ୍ନୟନ କମିସନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ସଂସ୍କୃତି ବିଭାଗ ପ୍ରମୁଖ ସଚିବ, ପର୍ଯ୍ୟଟନ ବିଭାଗ ସଚିବ, ବିଡିଏ ଉପାଧ୍ୟକ୍ଷ, ପୁଲିସ କମିସନର, କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି । ପୂର୍ତ୍ତ ସଚିବ ଏହାର ଆବାହକ ସଦସ୍ୟ ରହିଛନ୍ତି ।

ଏହି କମିଟିର ବୈଠକ ଖୁବ୍ ଶୀଘ୍ର ବସିବାକୁ ଥିବା ବେଳେ ଏକାମ୍ର କ୍ଷେତ୍ରରେ କିପରି ବିଭିନ୍ନ ଉନ୍ନତି ହେବ ସେନେଇ ସମୀକ୍ଷା କରିବ। ସୂଚନାଯୋଗ୍ୟ ଯେ ନିକଟରେ ବିଡିଏ ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବିନ୍ଦୁସାଗର ଏବଂ ଏହା ନିକଟରେ ଥିବା କିଛି ମନ୍ଦିରକୁ ଲାଗି ରହିଥିବା ରାସ୍ତା କଡ଼ର ସର୍ଭେ ହୋଇଥିଲା । ଏଥିରେ ଜଣାପଡ଼ିଥିଲା ଯେ ୨୨୫ଜଣ ବ୍ୟବସାୟୀ ଜବରଦଖଲ କରିଛନ୍ତି । ଏହି ଜବରଦଖଲ ଉଚ୍ଛେଦ କରିବାକୁ ବିଡିଏ ପକ୍ଷରୁ ଖୁବ୍ ଶୀଘ୍ର ନିର୍ଦ୍ଦେଶନାମା ଜାରି ହୋଇପାରେ ।

ସେହିପରି ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିରର ୭୫ମିଟର ପରିଧି ଭିତରେ କେତେ ଘର, କେତେ ମଠ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, ହସ୍ପିଟାଲ ଏବଂ ବିଭିନ୍ନ ନିର୍ମାଣ ‌ଅଛି ତା’ର ସର୍ଭେ ହେଉଛି । ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ରାଜସ୍ବ ନକ୍ସାକୁ ଭିତ୍ତି କରି ଏହି ସର୍ଭେ ଚାଲିଛି। ଏହି ସର୍ଭେ ସରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପୁରୀ ପରି ଏଠାରେ ବ୍ୟାପକ ଉଚ୍ଛେଦ ହେବ ନା ଆଉ କିଛି ପଦକ୍ଷେପ ନିଆଯିବ, ସେ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ । ଅପରପକ୍ଷେ ଭୁବନେଶ୍ବରକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ସହର ତାଲିକାରେ ସାମିଲ୍‌ କରିବାରେ ରାଜ୍ୟ ସରକାର ୨୦୧୪ ମସିହାରେ କିପରି ବିଫଳ ହୋଇଥିଲେ, ସେନେଇ ଗତ ସେପ୍ଟେମ୍ବର ମାସରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା । ସେତେବେଳେ ଯେଉଁ ଡୋସିୟର ପ୍ରସ୍ତୁତ ହୋଇପାରି ନ ଥିଲା, ତାହାକୁ ପ୍ରସ୍ତୁତ କରିବାକୁ ସଂସ୍କୃତି ବିଭାଗ ଉଦ୍ୟମ ଆରମ୍ଭ କରିଛି । ହେଲେ ଡୋସିୟର ପ୍ରସ୍ତୁତ ନେଇ ସଂସ୍କୃତି ବିଭାଗ ପକ୍ଷରୁ ଏପର୍ୟ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ପାରିଲାନି ।

 

ଐତିହ୍ୟ ସହର ମାନ୍ୟତା ଦେବା ପାଇଁ ଏକାମ୍ର କ୍ଷେତ୍ରରେ ବଫର୍ ଜୋନ୍ ହେବ । ଐତିହ୍ୟ ଓ କୀର୍ତ୍ତିରାଜି ଚାରିକଡ଼େ କୌଣସି ଅସୁରକ୍ଷିତ ନିର୍ମାଣ କି ଜବରଦଖଲ ରହିବନି । ନିୟମ ଅନୁଯାୟୀ, ଐତିହ୍ୟସ୍ଥଳୀର ୧୦୦ମିଟର ଭିତରେ କିଛି ନିର୍ମାଣ କାର୍ଯ୍ୟ ହେବନି। ୧୦୦ରୁ ୩୦୦ମିଟର ଭିତରେ ଯାହା ବି ନିର୍ମାଣ ହେବ ତାହା କିପରି ହେବ, କେତେ ଉଚ୍ଚତାର ହେବ ସେନେଇ ଗା‌ଇଡଲାଇନ୍ ପ୍ରସ୍ତୁତ ହେବ । ଏବେ ଏକାମ୍ର କ୍ଷେତ୍ରରେ ମନ୍ଦିର, ଐତିହ୍ୟ ପୁଷ୍କରିଣୀ ସବୁ ଜବରଦଖଲରେ ରହିଛି । ଲୋକମାନେ ମନ୍ଦିର ବେଢ଼ାରୁ ଆରମ୍ଭ କରି ପୋଖରୀ ହୁଡ଼ା ପର୍ଯ୍ୟନ୍ତ ସବୁଠି ଘର କରିଛନ୍ତି । ସର୍ଭେ ଅନୁଯାୟୀ ଏହାକୁ ଜବରଦଖଲ ମୁକ୍ତ କରାଯିବ ।