କୁନି ପିଲାଙ୍କ ଖେଳଣା କିଣାରେ ବି ଦୁର୍ନୀତି । ଅଙ୍ଗନବାଡି ଖେଳଣାକୁ ନେଇ କଟକରୁ ଆସିଲା ସାଂଘାତିକ ଅଭିଯୋଗ ।

266

କନକ ବ୍ୟୁରୋ : କଟକ ଜିଲ୍ଲାର ୩୩୧୮ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରି-ସ୍କୁଲ୍‌ କିଟ୍‌ ବାବଦରେ ଖର୍ଚ୍ଚ ପାଇଁ ଆସିଛି ୮୨ଲକ୍ଷ ୯୫ହଜାର ଟଙ୍କା। ଏହି ଟଙ୍କାରେ ପ୍ରତି ଅଙ୍ଗନବାଡି କେନ୍ଦ୍ର ପାଇଁ କିଣାଯିବ ପ୍ଲାଷ୍ଟିକ୍‌ ଖେଳଣା। ଏଥିପାଇଁ ଅଙ୍ଗନବାଡି କର୍ମୀ ଓ ୱାର୍ଡ ମେମ୍ବରଙ୍କ ନାମରେ ଥିବା ଯୁଗ୍ମ ବ୍ୟାଙ୍କ ଖାତାକୁ ଦୁଇ ମାସ ହେଲା ଆସିଲାଣି ଟଙ୍କା। ଅଧିକାଂଶ କେନ୍ଦ୍ରରେ ଖେଳଣା ବି କିଣା ସରିଲାଣି। କିନ୍ତୁ ଖେଳଣା କିଣାରେ ବଡ଼ଧରଣର ଦୁର୍ନୀତି ଅଭିଯୋଗ ଉଠିଲାଣି। ସରକାରୀ ନିୟମାବଳୀ ନମାନି ଅଲିଖିତ ନିର୍ଦ୍ଦେଶରେ କିଣାଯାଉଛି ଖେଳଣା। ପ୍ରତି ସେକ୍ଟର ବା ବ୍ଲକରେ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠାରୁ ଖେଳଣା କିଣିବା ପାଇଁ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

କଟକ ଜିଲ୍ଲାର ୩୩୧୮ ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ପ୍ରି-ସ୍କୁଲରେ ୬୩ ହଜାର ୩୦୯ ଜଣ ପିଲା ପଢୁଛନ୍ତି। କରୋନା ପାଇଁ ପିଲା ସ୍କୁଲ ଆସୁ ନଥିବା ବେଳେ ସବୁ କେନ୍ଦ୍ରକୁ ଚଳିତ ବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ପ୍ରି-ସ୍କୁଲ୍‌ କିଟ୍‌ କିଣା ବାବଦକୁ କେନ୍ଦ୍ର ପିଛା ୨୫ଶହ ଟଙ୍କା ଲେଖାଏ ଦିଆଯାଇଛି। ଏଥିରେ ଝୁମକା, କିଚେନ୍‌ ସେଟ୍‌, ଡାକ୍ତରୀ ସେଟ୍‌ ସମେତ ୧୨ରୁ ଅଧିକ ପ୍ରକାର ଖେଳଣା କିଣିବା ପାଇଁ ଆଇସିଡିଏସ୍‌ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଉକ୍ତ ଟଙ୍କାରେ ଅଙ୍ଗନବାଡ଼ି କର୍ମୀ ଓ ପିଆରଆଇ ମେମ୍ବରମାନେ ବୈଠକ କରି ମାର୍ଗଦର୍ଶିକା ଅନୁସାରେ ଖେଳଣା କିଣିବା କଥା। କିନ୍ତୁ ଜିଲ୍ଲାର ସବୁ ବ୍ଲକରେ କର୍ମୀଙ୍କୁ ଓ କମିଟିଙ୍କୁ ଖେଳଣା କିଣା ପାଇଁ ସ୍ବାଧୀନତା ଦିଆ ନଯାଇ ଏହି ଟଙ୍କାରେ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କଠାରୁ ଖେଳଣା କିଣିବା ଓ ଟଙ୍କା ଉଠାଇ ସଂପୃକ୍ତ ସଂସ୍ଥାକୁ ଦେଇଦେବା ପାଇଁ ଅଲିଖିତ ଭାବେ ନିର୍ଦ୍ଦେଶ ରହିଛି। ନିଶ୍ଚିନ୍ତକୋଇଲି ବ୍ଲକରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ବ୍ୟବସାୟୀଙ୍କଠାରୁ ଖେଳଣା କିଣିବା ପାଇଁ କୁହାଯାଇଛି। ପ୍ରତି ଅଙ୍ଗନବାଡ଼ି କର୍ମୀ ସଂପୃକ୍ତ ବ୍ୟବସାୟୀଙ୍କୁ ଟଙ୍କା ଉଠାଣ କରି ଦେବେ ଓ ସେ କେନ୍ଦ୍ରରେ ଖେଳଣା ପହଞ୍ଚାଇ ଦେବେ।

ଅନ୍ୟପଟେ ଟଙ୍କା ଦେବା ପରେ ରସିଦ କିମ୍ବା ଖେଳ ସାମଗ୍ରୀର ତାଲିକା ପ୍ରଦାନ କରାଯାଉ ନ ଥିବା, ସ୍ବଳ୍ପ ମୂଲ୍ୟର ନିମ୍ନମାନର ଖେଳଣା ଦିଆଯାଉଥିବା ଅଭିଯୋଗ ହୋଇଛି। କେବଳ ନିଶ୍ଚିନ୍ତକୋଇଲି ନୁହେଁ ଜିଲ୍ଲାର ସବୁ ବ୍ଲକରେ ଏଭଳି ଘଟଣା ଯୋଗୁଁ ସରକାରଙ୍କ ଟଙ୍କା ଠିକ୍‌ ଢଙ୍ଗରେ ବିନିଯୋଗ ହୋଇ ପାରୁନି। ଖେଳଣା କିଣା ଓ ଏହାର ମାନକୁ ନେଇ ତଦନ୍ତ କରିବାକୁ ଦାବି ‌‌‌‌ହେଉଛି। ଏ ସଂପର୍କରେ ଡିଏସଡବ୍ଲୁଓ ନିରୂପମା ବେହେରା କହିଛନ୍ତି ଯେ ପ୍ରତି କର୍ମୀଙ୍କ ଯୁଗ୍ମ ଆକାଉଣ୍ଟକୁ ଟଙ୍କା ଯାଇଛି ଓ ସେମାନେ ନିଜେ କମିଟି ମାଧ୍ୟମରେ ଏହି ଖେଳଣା କିଣିବା ପାଇଁ ସମସ୍ତଙ୍କୁ କୁହାଯାଇଛି। ଖେଳଣା କିଣାରେ ଦୁର୍ନୀତି ନେଇ ଏଯାଏ କୌଣସି ଅଭିଯୋଗ ତାଙ୍କ ପାଖକୁ ଆସି ନଥିବା ସେ ସୂଚନା ଦେଇଛନ୍ତି।