ସରକାରୀ ପୁସ୍ତିକାରେ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗ: ଗୃହରେ ଗଣଶିକ୍ଷା ମନ୍ତ୍ରୀଙ୍କ ବିବୃତି; ବିଭ୍ରାନ୍ତ କରିବାର ଉଦ୍ଦେଶ୍ୟ ନଥିଲା, ଲିଫଲେଟକୁ କରାଯାଇଛି ପ୍ରତ୍ୟାହାର

ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେବାରୁ ନିବୃତ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ

398

କନକ ବ୍ୟୁରୋ: ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଲିଫଲେଟରେ ପ୍ରକାଶ ପାଇଥିବା ଭୁଲ ତଥ୍ୟ ଉପରେ ଆଜି ବିଧାନସଭାରେ ସ୍ପଷ୍ଟୀକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଗୃହରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବିଭ୍ରାନ୍ତ କରିବାର ଉଦ୍ଦେଶ୍ୟ ନଥିଲା । ଲିଫଲେଟକୁ ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି । ସେହିପରି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମଧ୍ୟ ସେବାରୁ ନିବୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨ ଅଧିକାରୀଙ୍କୁ କୈଫୟତ ମଗାଯାଇଛି । ଏପଟେ ମାସକ ଭିତରେ ଲିଫଲେଟର ପୁନଃ ମୂଦ୍ରଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଗତକାଲି ବିଧାନସଭାରେ ଗାନ୍ଧୀ ଓ ଗଡସେ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିଥିଲେ ବିରୋଧୀ । ଏମିତିକି ଶାସକ ଦଳକୁ ଅତି କଡା ଭାଷାରେ କଟାକ୍ଷ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ ମିଶ୍ର କହିଥିଲେ କି ଗଡସେଙ୍କ ମନ୍ଦିର କେବେ ତିଆରି ହେବ? ଆଉ ସରକାରଙ୍କ ପୁସ୍ତିକାରେ ଭୁଲ ତଥ୍ୟ ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବା ସହିତ ସରକାର ଏ ନେଇ ବିବୃତି ରଖିବାକୁ ବାଚସ୍ପତି ରୁଲିଂ ମଧ୍ୟ ଦେଇଥିଲେ । ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ପ୍ରସଙ୍ଗରେ ବିବୃତି ରଖିବା ସହ ବିଭ୍ରାନ୍ତ କରିବାର ଉଦ୍ଦେଶ୍ୟ ନଥିଲା ଏବଂ ଲିଫଲେଟକୁ ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ।

ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏକ ପୁସ୍ତିକା ରାଜ୍ୟର ସ୍କୁଲଗୁଡିକରେ ବାଂଟିଥିଲା । ପୁସ୍ତିକାର ଗୋଟିଏ ପାରାଗ୍ରାଫରେ ଲେଖାଅଛି ୧୯୪୮ ମସିହା ଜାନୁଆରୀ ୩୦ ରେ ଏକ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଜୀଙ୍କ ମୃତ୍ୟୁ ହୋଇଥିଲା । ତେଣୁ ସ୍ୱାଭାବିକ ଭାବେ ଗାନ୍ଧିଜୀଙ୍କ ମୃତ୍ୟୁ କଣ ଆକସ୍ମିକ ଘଟଣାକ୍ରମ ଥିଲା କି ବୋଲି ପ୍ରଶ୍ନ ଉଠିଥିଲା । ଏପରିକି ନାଥୁରାମ ଗଡସେ କଣ ଗୁଳି କରି ହତ୍ୟା କରି ନଥିଲା କି? ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରସଙ୍ଗରେ ସରଗରମ ହୋଇଉଠିଛି ବିଧାନସଭା ।