ଗାଁ ରାଜନୀତିରେ ପାଠୁଆ ଝିଅଙ୍କ ପ୍ରବେଶକୁ ନେଇ ଚର୍ଚ୍ଚା । ପଢନ୍ତୁ, କେଉଁଠି କିଏ ଭରିଲେ ପ୍ରାର୍ଥୀପତ୍ର…

155

କନକ ବ୍ୟୁରୋ: ନିର୍ବାଚନ ମଇଦାନରେ ଶିକ୍ଷିତା ଯୁବତୀ । ରାଜନୀତିରେ ପାଦ ଦେବା ପାଇଁ ମନସ୍ଥ କରିଛନ୍ତି ରାୟଗଡା ଜିଲ୍ଲା କାଶିପୁର ଅଞ୍ଚଳର କେମେଷ୍ଟ୍ରି ଅନର୍ସ ରଖି ବିଏସସି ପାସ୍ କରିଥିବା ରାୟଗଡ଼ାର ରିୟା ନାଏକ । ମୋ ଅଞ୍ଚଳର ବିକାଶ ପାଇଁ ରାଜନୀତିକୁ ଆସିଛି, ଅନ୍ୟମାନଙ୍କ ଭଳି ମିଛ ପ୍ରତିଶ୍ରୁତ ଦେଇ ନୁହେଁ, କିଛି ନିଆରା କରିବାର ଲକ୍ଷ୍ୟ ରଖିଛି । ଏକଥା ହେଉଛି, ରାୟଗଡା ଜିଲ୍ଲା କାଶୀପୁର ଖ’-ଜୋନ ପାଇଁ ଜିଲ୍ଲାପରିଷଦ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବା ୨୧ ବର୍ଷୀୟ ରିୟା ନାଏକଙ୍କର ।

ସେହିଭଳି ସିଭିଲି ଇଂଜିନିୟର ଶ୍ୱେତସ୍ୱନୀ ରଣବିଜୁଳି, ଘରୋଇ କମ୍ପାନୀରେ ଚାକିରି କରିବା ସହ ସ୍ୱାମୀଙ୍କ କାମରେ ସହଯୋଗ କରୁଥିଲେ । ଏବେ ସେ ଜନସେବା କରିବାକୁ ନିର୍ବାଚନରେ ପାଦ ଥାପିଛନ୍ତି । ବିଜେପି ଟିକଟରୁ ଖୋର୍ଦ୍ଧା ବେଗୁନିଆ ନିର୍ବାଚନ ମଣ୍ଡଳିର ୨୪-ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ।

ଏମାନଙ୍କ ସହିତ ରଶ୍ମୀତା ପାତ୍ର,ବିଏସସି ପାସ୍ ଛାତ୍ରୀ ଏବଂ ରୁବି ବେହେରା ମଧ୍ୟ ଏହି ପଞ୍ଚାୟତ ନିର୍ବାଚନରେ ରାଜନୀତିକୁ ଓହ୍ଲାଇଛନ୍ତି । ଗଞ୍ଜାମ ଖଲ୍ଲିକୋଟ ବ୍ଳକ ଓଡ଼ିଆ ଆଲପୁର ପଞ୍ଚାୟତର ରଶ୍ମୀତା, ଯୁକ୍ତ ଦୁଇ ପରେ ବ୍ୟାଚଲର ଅଫ୍ କମ୍ପ୍ୟୁଟର ଆପ୍ଲିକେସନ୍ କରିଛନ୍ତି । ଏବେ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବା ପରେ ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରିଛନ୍ତି ।ସେହିଭଳି ସିବିଏସଇ ପଞ୍ଜାବ ବୋର୍ଡର ୨୦୧୮ ଟପର ରୁବି ବେହେରା, ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ଲୋକଙ୍କ ଅସୁବିଧାକୁ ଅନୁଭବ କରି ସେଗୁଡିକ ଦୂର କରିବା ପାଇଁ ରାଜନୀତିକୁ ଓହ୍ଲାଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର କେନ୍ଦ୍ରାପଟି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।