ଇଡି, ସିବିଆଇ ସ୍କାନରରେ ଟିଏମସି ନେତା। ତାଲିକାରେ ୧୦୦ ଦୁର୍ନୀତିଗସ୍ତ ନେତା। 

117

କନକ ବ୍ୟୁରୋ: ମହାରାଷ୍ଟ୍ର ପରେ ଏବେ ପଶ୍ଚିମବଙ୍ଗରେ ଡେରା ପକାଇଛି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ । ପଶ୍ଚିମବଙ୍ଗର ଶିକ୍ଷକ ଦୁର୍ନୀତି ମାମଲାରେ ନିଲମ୍ବିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ପଛରେ ଆଉ କେଉଁମାନେ ଅଛନ୍ତି ତାହା ଉପରେ ତଦନ୍ତ ଚଳାଇଛନ୍ତି ଇଡି ଓ ସିବିଆଇ । ମାମଲାର ତଦନ୍ତ କରିବାକୁ କଲିକତା ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଟିଏମସି ନେତାଙ୍କ ମଧ୍ୟରେ ଏକପ୍ରକାର ଅଜଣା ଭୟ ସୃଷ୍ଟି ହୋଇଛି । ଏପଟେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ୧୦୦ ଦୁର୍ନୀତିଗସ୍ତ ଟିଏମସି ନେତାଙ୍କ ନାମ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦେଇଛନ୍ତି ପଶ୍ଚିମବଙ୍ଗର ବିଜେପି ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ।

ଅର୍ପିତା ମୁଖାର୍ଜୀଙ୍କ ଘରୁ ଜବତ ହୋଇଥିବା ନଗଦ ୫୦ କୋଟି ଟଙ୍କା କାହାର ଏବଂ ଏହି ଦୁର୍ନୀତି ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ଅଛି ତାହା ଉପରେ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଛି । ଏପଟେ ମଙ୍ଗଳବାର ଅମିତ ଶାହାଙ୍କୁ ଭେଟି ଶୁଭେନ୍ଦୁ ଅଧିକାରୀ ଏହି ଦୁର୍ନୀତି ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଦେଇଛନ୍ତି । ଯେଉଁଥିରେ ଟିଏମସିର ନେତା ଓ ବିଧାୟକମାନେ ସେମାନଙ୍କ ସମ୍ପର୍କୀୟ ଅବା ସହଯୋଗୀଙ୍କୁ ନିଯୁକ୍ତି ଦେବାକୁ ଲେଖିଥିବା ଲେଟରହେଡ ରହିଛି । ଏହି ଦୁର୍ନୀତି ଯୋଗୁ ୮୦ରୁ ୯୦ ଲକ୍ଷ ଆଶାୟୀ ପ୍ରାର୍ଥୀ ନିରାଶ ହୋଇଛନ୍ତି । ଏହା ବିରୋଧରେ ସାରା ରାଜ୍ୟରେ ଅଭିଯାନ ଆରମ୍ଭ କରିବ ବୋଲି କହିଛନ୍ତି ମମତା ବାନାର୍ଜୀଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀ । ଏପଟେ ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀଙ୍କ ବୁଧବାର ୧୦ ଦିନିଆ ରିମାଣ୍ଡ ଶେଷ ହୋଇଥିବା ବେଳେ ତାଙ୍କୁ କୋର୍ଟରେ ହାଜର କରିଛି ଇଡି ।