ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ଟଙ୍କାର ପାହାଡ । ପୁଣି ଜବତ ହେଲା ୨୯ କୋଟି ୯୦ ଲକ୍ଷ ଟଙ୍କା ।

249

କନକ ବ୍ୟୁରୋ: ଶିକ୍ଷକ ଦୁର୍ନୀତିକୁ ମାମଲାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି । ଗୋଟିଏ ପଟେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅଭିନେତ୍ରୀ ଅର୍ପିତାଙ୍କ ଆଉ ଏକ ଘରୁ ୨୯ କୋଟି ଟଙ୍କା ସହ ବିପୁଳ ସୁନା ଗହଣା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅନ୍ୟପଟେ ପାର୍ଥ ଚାଟାର୍ଜୀଙ୍କୁ ସମସ୍ତ ମନ୍ତ୍ରୀପଦରୁ ହଟାଇବା ସହ ତୃଣମୂଳ କଂଗ୍ରେସରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପଶ୍ଚିମବଙ୍ଗର ଶିକ୍ଷକ ନିଯୁକ୍ତି ଘୋଟାଲାରେ ପାର୍ଥ ଟାଟାର୍ଜୀ ଓ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଅଡୁଆ ଆହୁରି ବଢିବ । କାରଣ ଅର୍ପିତାଙ୍କ ଘରୁ ଜବତ ଟଙ୍କା ଓ ସୁନା ପାର୍ଥଙ୍କ ବୋଲି କୁହାଯାଉଛି । ଅର୍ପିତା ମାନିଛନ୍ତି, ପାର୍ଥ ତାଙ୍କ ଘରକୁ ମିନି ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲେ ।

  • ଅର୍ପିତାଙ୍କ ଘରେ ଟଙ୍କାର ପାହାଡ
  • ମିଳିଲା ଆଉ ୨୯ କୋଟି
  • ଟଙ୍କା ଗଣି ଗଣି ଇଡି ହାଲିଆ

ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କ ଜେରା ପରେ ଧିରେ ଧିରେ ଖୋଲୁଛି କଳାସାମ୍ରାଜ୍ୟର ଗୁମର । ଅର୍ପିତାଙ୍କ ଆଉ ଏକ ଘରୁ ପୁଣି ନଗଦ ୨୯ କୋଟି ଟଙ୍କା ଓ ଦେଢକୋଟିର ସୁନାଗହଣା ମିଳିବା ପରେ ଦୁର୍ନୀତିର ଚେର ଯେ ଲମ୍ବା ତାହା ଧିରେ ଧିରେ ସ୍ପଷ୍ଟ ହେଉଛି । ଅର୍ପିତାଙ୍କ ଘରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ବି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ ଯେତେବେଳେ ଇଡି ଅର୍ପିତାଙ୍କ ଘରକୁ ଯାଇଥିଲା, ସେ ସମୟରେ ଘରେ ତାଲା ପଡିଥିଲା । ଇଡି ତାଲା ଭାଙ୍ଗି ଘରେ ପଶିବା ପରେ ଏତେ ପରିମାଣର ଟଙ୍କା ଓ ସୁନା ଜବତ କରିଛି । ଟଙ୍କା ଗଣି ଗଣି ଅଧିକାରୀମାନେ ହାଲିଆ ହୋଇଯାଇଥିଲେ ।

ପାର୍ଥ ଚାଟାର୍ଜୀଙ୍କ ଜଣେ ଦ୍ୱିତୀୟ ମହିଳା ବନ୍ଧୁଙ୍କୁ ନେଇ ବି ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଏହି ମହିଳାଙ୍କ ଘରେ ବି ପାର୍ଥ ଟଙ୍କା ରଖୁଥିଲେ । ତେବେ ଏହି ମହିଳା କିଏ ତାହା ସାମ୍ନାକୁ ଆସିନାହିଁ । ଇଡି ଅଧିକ ଖୋଳତାଡ ଆରମ୍ଭ କରିଛି ।

ସେପଟେ ଶିକ୍ଷକ ନିଯୁକ୍ତି ନେଇ ବିରୋଧୀଙ୍କ କଡା ସମାଲୋଚନା ପରେ ପଶ୍ଚିମବଙ୍ଗ କ୍ୟାବିନେଟରୁ ପାର୍ଥ ଚାଟାର୍ଜୀଙ୍କୁ ହଟାଇ ଦେଇଛନ୍ତି ମମତା ବାନାର୍ଜୀ । ସ୍ଥିତି ବିଗୁଡୁଥିବା ଦେଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କ୍ୟାବିନେଟ ବୈଠକ ଡକାଇଥିଲେ । ପାର୍ଥଙ୍କ ନିକଟରେ ବର୍ତ୍ତମାନ ଶିଳ୍ପ ବିଭାଗ ରହିଥିଲା । ଏଥିସହ ସୂଚନା, ପ୍ରସାରଣ, ବାଣିଜ୍ୟ ବିଭାଗ ସମ୍ଭାଳୁଥିଲେ । ଏହି ସମସ୍ତ ବିଭାଗ ମନ୍ତ୍ରୀଙ୍କ ହାତରୁ ଛଡାଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଶିକ୍ଷକ ନିଯୁକ୍ତି ମାମଲାରେ ଅର୍ପିତାଙ୍କ ଆଉ ଏକ ଘରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି । ତେବେ ଏଠାରୁ କଣ ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ଅଭିନେତ୍ରୀ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି । ପାର୍ଥ ଚାଟାର୍ଜୀ ଓ ଅର୍ପିତାଙ୍କ ଇଡି ଅଗଷ୍ଟ ୩ ଯାଏଁ ନିଜ ହେପାଜତକୁ ନେଇଛି । ସେମାନଙ୍କୁ ମୁହାଁମୁହିଁ ଜେରା କରାଯାଉଛି ଆଉ ଦୁର୍ନୀତିର ଚେର ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।