ମାଡି ଆସୁଛି କି ମାନ୍ଦାବସ୍ଥା ? ଧିମଉଛି ବଜାର, ନିଯୁକ୍ତି କମୁଛି, ଛଟେଇ ବଢ଼ିବା ଆଶଙ୍କା । ସେପଟେ ବିଭିନ୍ନ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ।

658

କନକ ବ୍ୟୁରୋ : ମାଡି ଆସୁଛି ମାନ୍ଦାବସ୍ଥା । ଅଟୋ ମୋବାଇଲ ଓ ରିୟଲ ଇଷ୍ଟେଟ୍  ପରେ ଏବେ ଏଫଏମସିଜି ସାମଗ୍ରୀ ଉପରେ ପ୍ରଭାବ ପଡିବାରେ ଲାଗିଛି । କିଛି କଂପାନୀ, ଉତ୍ପାଦନ ହ୍ରାସ କରିସାରିଛନ୍ତି । ଆଉ କିଛି କମ୍ପାନୀ କର୍ମଚାରୀ କାଟଛାଂଟ କରିବାକୁ ଯୋଜନା କରୁଛନ୍ତି । ଏହାରି ଭିତରେ କିନ୍ତୁ ଅର୍ଥନୀତି ସୁଦୃଢ କରିବାକୁ ଅଂଟା ଭିଡିଛନ୍ତି ସରକାର । ବିଭିନ୍ନ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି । ତଥାପି ମାନ୍ଦାବସ୍ଥା ଆଶଙ୍କା ବଢିବାରେ ଲାଗିଛି ।

ମାଡ଼ି ଆସୁଛି ମାନ୍ଦାବସ୍ଥା । କମୁଛି ନିଯୁକ୍ତି, ବଢୁଛି ଛଟେଇ । ପ୍ରଥମେ ଅଟୋ ମୋବାଇଲ ଓ ରିୟଲ ଇଷ୍ଟେଟ୍ ପ୍ରଭାବିତ ହେବା ପରେ ଏବେ ଏଫଏମସିଜି ସାମଗ୍ରୀ ଉପରେ ପ୍ରଭାବ ପଡିବାରେ ଲାଗିଛି । ଏମିତି କି ଅନ୍ତବସ୍ତ୍ର ଓ ପାର୍ଲେ-ଜି ଭଳି ଶସ୍ତା ବିସ୍କୁଟ ବିକ୍ରି ବି କମିବାରେ ଲାଗିଛି । କିଛି କଂପାନୀ, ଉତ୍ପାଦନ ହ୍ରାସ କରିଥିବା ବେଳେ କର୍ମଚାରୀ କାଟଛାଂଟ କରିବାକୁ ପ୍ରସ୍ତୁତି ଚଳାଇଥିବା ଖବର ପ୍ରକାଶ ପାଉଛି, ଯାହା କି ଅର୍ଥଶାସ୍ତ୍ରୀମାନଙ୍କୁ ବିଚଳିତ କରିଛି । ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ସତର୍କବାଣୀ ଶୁଣାଇବା ପରେ ବିଭିନ୍ନ କ୍ଷେତ୍ରରେ ପ୍ୟାକେଜ୍ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ବିଦେଶୀ ନିବେଶକଙ୍କ ବର୍ଦ୍ଧିତ ସରଚାର୍ଜକୁ ହଟାଇ ଦିଆଯାଇଛି । କର୍ପୋରେଟ ସଂସ୍ଥାକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ସରକାର । ବ୍ୟାଙ୍କିଙ୍ଗ ସେକ୍ଟରକୁ ୭୦ ହଜାର କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିଥିବାରୁ ସେହି ଅନୁରୂପ ଇଏମଆଇ ହ୍ରାସ କରିବାକୁ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଲୋକଙ୍କ ପାଖରେ ଅଧିକ ଟଙ୍କା ରହୁ ଓ ସେମାନଙ୍କ କ୍ରୟ ଶକ୍ତି ବଢ଼ୁ ।

ମାନ୍ଦାବସ୍ଥାର ସବୁଠୁ ବଡ଼ ପ୍ରଭାବ ପଡେ କର୍ମ ନିଯୁକ୍ତି ଉପରେ । ନିଯୁକ୍ତି ବଢ଼ିବା ପରିବର୍ତ୍ତେ ବିଭିନ୍ନ କଂପାନୀ ଛଟେଇ ଆରମ୍ଭ କରିବାରୁ ବେକାରୀ ସମସ୍ୟା ଉତ୍କଟ ହୋଇଯାଏ । ତେଣୁ କିପରି ଲୋକେ ଚାକିରି ହରାଇବେ ନାହିଁ, ତାହା ଏବେ ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଂଜ । ତେବେ ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଭାରତର ଅର୍ଥନୀତି ସୁଦୃଢ଼ ରହିଛି । ଅନ୍ୟ ଦେଶ ଅପେକ୍ଷା ଭାରତର ଅଭିବୃଦ୍ଧି ହାର ଅଧିକ ଥିବା କହି ଆଶ୍ୱାସନା ଦେଇଛନ୍ତି ଅର୍ଥମନ୍ତ୍ରୀ ।