ଅର୍ଥନୈତିକ ସର୍ଭେ ରିପୋର୍ଟରେ ମହାଭାରତ ଶ୍ଳୋକରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ବିଜୟର ଉଦାହରଣ । ବୁଝାଇଲେ ଲକଡାଉନର ଆବଶ୍ୟକତା, ଫୋକସରେ ରହିବ ସ୍ୱାସ୍ଥ୍ୟ ।

254

କନକ ବ୍ୟୁରୋ : ୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାଭାରତର ଏକ ଶ୍ଳୋକକୁ ଉଲ୍ଲେଖ କରିଛନ୍ତି । ଅର୍ଥମନ୍ତ୍ରୀ ଏହାକୁ ସଂସଦରେ ଉପସ୍ଥାପିତ କରିଥିବାବେଳେ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତି ସୁବ୍ରମଣ୍ୟନ । ଅର୍ଥନୀତିକୁ ସହଜରେ ବୁଝାଇବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ।

୨୦୨୦-୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହାଭାରତର ଏକ ଶ୍ଳୋକକୁ ଉଲ୍ଲେଖ କରିଛନ୍ତି । ଅର୍ଥନୀତି ଏକ ଜଟିଳ ପାଠ ହୋଇଥିବାରୁ ଏହାକୁ ରୋଚକ କରିବା ପାଇଁ ମହାଭାରତ ଶ୍ଳୋକରୁ ଆରମ୍ଭ କରି ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍ ଟିମର ଟେଷ୍ଟ ଶୃଙ୍ଖଳା ବିଜୟ ଯାଏଁ ବିଭିନ୍ନ ଉଦାହରଣ ଦେଇଛନ୍ତି ପ୍ରମୁଖ ଅର୍ଥନୈତିକ ପରାମର୍ଶଦାତା ।

ମହାଭାରତରେ ଶ୍ଳୋକ ରହିଛି ‘ଆପଦି ପ୍ରାଣ ରକ୍ଷା ଧର୍ମସ୍ୟ ପ୍ରଥମାଂକୁରଃ’ । ଅର୍ଥାତ ସଂକଟରେ ପଡିଥିବା ଜୀବନ ବଂଚାଇବା ହିଁ ଧର୍ମର ମୂଳତତ୍ତ୍ୱ । ମହାମାରୀ ସମୟରେ ଜୀବନ ରକ୍ଷା ପାଇଁ କଠୋର ଲକଡାଉନ କଟକଣାକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଏହି ଶ୍ଳୋକକୁ ବ୍ୟବହାର କରାଯାଇଛି ।

ସେହିପରି ଥ୍ରୀ ଇଡିଅଟ୍ସ ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦରମାର ଅଧିକାଂଶ ଭାଗ କିଭଳି ଚିକିତ୍ସାରେ ଖର୍ଚ୍ଚ ହୋଇଯାଏ ତାହା ଦର୍ଶାଯାଇଛି । ଫଳରେ ଘରର ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଟଙ୍କା ବଳୁନାହିଁ । ଭାରତୀୟ ମାନଙ୍କ ଚିକିତ୍ସାରେ ବ୍ୟୟର ପ୍ରତିଫଳନ ଏହି ଦୃଶ୍ୟରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଉଦାହରଣ ଦେଇ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ।

କରୋନା ଯୋଦ୍ଧାମାନେ ମହାମାରୀ ବିରୋଧରେ କରିଥିବା ସାହସିକ ଲଢେଇକୁ ସର୍ଭେରେ ପ୍ରଶଂସା କରାଯାଇଛି । ତେବେ ମହାମାରୀ ପ୍ରଭାବରେ ଦୁର୍ବଳ ହୋଇପଡିଥିବା ଅର୍ଥନୀତି ଇଂରାଜୀ ‘ଭି’ ଅକ୍ଷର ଆକାରରେ ପୁଣି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାଷ୍କର ଟ୍ରଫିରେ ଭାରତୀୟ କ୍ରିକେଟ୍ ଦଳ ଯେଭଳି କଠିନ ପରିସ୍ଥିତିରୁ ବାହାରି ଆସି ଶୃଙ୍ଖଳା ବିଜୟ ହାସଲ କଲା ଭାରତୀୟ ଅର୍ଥନୀତି ମଧ୍ୟ ସେହିଭଳି ବାହାରି ଆସିବ ବୋଲି ସର୍ଭେ ରିପୋର୍ଟରେ ଆଶା କରାଯାଇଛି ।

କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ‘ବାରବେଲ’ ରଣନୀତି ଗ୍ରହଣ କରିଥିଲେ । ଅର୍ଥନୀତିରେ ବାରବେଲ ରଣନୀତି ଅନୁସାରେ ପ୍ରଥମେ ବିଚାର କରାଯାଏ ଯେ, ଫଳାଫଳ ଅତ୍ୟନ୍ତ ଖରାପ ହେବ ଓ ସେହି ଅନୁସାରେ ମୁକାବିଲା ପାଇଁ ପଦକ୍ଷେପ ନିଆଯାଏ । ଠିକ ସେହି ଅନୁସାରେ କରୋନାକୁ ନିୟନ୍ତ୍ରଣରେ ରଖିବା ଲାଗି ବିଭିନ୍ନ ପର୍ଯ୍ୟାୟରେ କଟକଣା ଲାଗୁ କରିଥିଲେ କେନ୍ଦ୍ର ସରକାର । ଆଗୁଆ ଲକଡାଉନ, ସଟଡାଉନ କଟକଣା ଫଳରେ କରୋନା ସଂକ୍ରମଣରେ ସମୟ ଲାଗିଲା ଏବଂ ସେହି ସମୟ ଭିତରେ ମୁକାବିଲା ରଣନୀତି ପ୍ରସ୍ତୁତ ହୋଇପାରିଲା ।