ଠିକ୍ ରାସ୍ତାରେ ଯାଉଛି ଓଡିଶାର ଅର୍ଥନୀତି । ଗୋଲାପି ଚିତ୍ର ଦେଖାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ ।

46

ଓଡିଶାର ଅର୍ଥନୈତିକ ସ୍ଥିତିକୁ ନେଇ ଆଜି ଗୋଲାପୀ ଚିତ୍ର ଦେଇଛି ଓଡିଶା ଇକୋନୋମିକ ସର୍ଭେ ରିପୋର୍ଟ । ଆଜି ବିଧାନସଭାରେ ଏହାକୁ ଉପସ୍ଥାପନ କରିଛନ୍ତି ସରକାର । ଏଥିରେ କୁହାଯାଇଛି, ଓଡିଶାର ଅର୍ଥନୈତିକ ସ୍ଥିତି କ୍ରମାଗତ ଭାବେ ଉନ୍ନତି କରିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଅର୍ଥନୀତି ୭ ଦଶମିକ ୧୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଓଡିଶାରେ ରେକର୍ଡ ହାରରେ ୨୦୧୭-୧୮ରେ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଛି । ରାଜ୍ୟର ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଏହାଛଡା ଦରଦାମ ନିୟନ୍ତ୍ରଣରେ ଜାତୀୟ ହାର ଠାରୁ ଓଡିଶାର ସ୍ଥିତି ବେଶ୍ ଭଲ ଥିବା ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ଭାରତରେ ଦରଦାମ ୩ ଦଶମିକ ୧ ହାରରେ ବଢିଥିବା ବେଳେ ଓଡିଶାରେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ୧ ଦଶମିକ ୩ ହାରରେ ଦରଦାମ ବଢିଛି ବୋଲି ଉଲ୍ଲେଖ ହୋଇଛି ।


ଶିଶୁମୃତ୍ୟୁ ହାର କ୍ଷେତ୍ରରେ ଓଡିଶା ଜାତୀୟ ହାରଠାରୁ ବେଶ୍ ଭଲ ପ୍ରଦର୍ଶନ କରିଥିବା ରିପୋର୍ଟରେ ଦେର୍ଶାଯାଇଛି । ୨୦୦୫-୦୬ରେ ଓଡିଶାରେ ପ୍ରତି ଏକ ହଜାର ଶିଶୁଙ୍କ ଭିତରେ ୬୫ ଜଣ ଶିଶୁଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୧୫-୧୬ରେ ଏହି ସଂଖ୍ୟା ୪୦କୁ କମିଛି । ସର୍ବ ଭାରତୀୟ ସ୍ତରରେ ୨୦୦୫-୦୬ରେ ପ୍ରତି ଏକ ହଜାର ଶିଶୁରେ ୫୭ ଜଣଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୧୫-୧୬ରେ ଏହି ସଂଖ୍ୟା ୪୧କୁ କମିଛି । ଆଇଟିରେ ନିଯୁକ୍ତି ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଶାର କିରଣ ଦେଖାଇଛି । ୨୦୧୭ରେ ଭୁବନେଶ୍ୱରରେ ୧୭ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିଥିବା ନେଇ ଉଲ୍ଲେଖ ରହିଛି ।


ଆସନ୍ତାକାଲି ରାଜ୍ୟ ବଜେଟ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ବେଳେ ରାଜ୍ୟର ଅର୍ଥନୀତି ଠିକ ଟ୍ରାକରେ ଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ଅର୍ଥମନ୍ତ୍ରୀ ଭାବେ ଶଶୀଭୂଷଣ ବେହେରା ପ୍ରଥମ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ନିର୍ବାଚନୀ ବର୍ଷରେ ସବୁକ୍ଷେତ୍ର ପ୍ରତି ଗୁରୁତ୍ୱ ଦେଇ ସମସ୍ତଙ୍କ ମନ ଜିଣିବାକୁ ସରକାର ଉଦ୍ୟମ କରିବେ ବୋଲି ଆଶା ରହିଛି । ଖାସ୍ କରି ଚାଷୀଙ୍କ କ୍ଷେତ୍ରରେ ଓ ସାମାଜିକ କ୍ଷେତ୍ର ପାଇଁ ଅନେକ କିଛି ବ୍ୟବସ୍ଥା ରହିପାରେ ବୋଲି ଚର୍ଚ୍ଚା ହେଉଛି । ଉପସ୍ଥାପନ ହେବାକୁ ଥିବା ବଜେଟର ପରିମାଣ ୧ ଲକ୍ଷ ୨୦ ହଜାର କୋଟି ଟପିପାରେ ବୋଲି ଅନୁମାନ କରାଯାଉଛି ।