ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭୋଟର ଦେଖିପାରିବେ କାହାକୁ ଦେଲେ ଭୋଟ? ଇଭିଏମ ଓ ଭିଭିପାଟ ସର୍ମ୍ପକରେ ଭୋଟରଙ୍କୁ ସଚେତନ କରିବାକୁ ବୁଲିଲା ସଚେତନତା ରଥ

287

କନକ ବ୍ୟୁରୋ : ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ ଦେଇଥିବା ବେଳେ ଚଳିତ ଥର ନିର୍ବାଚନରେ ଉଭୟ ଇଭିଏମ ଓ ଭିଭିପାଟର ବ୍ୟବହାର ଦେଖିବାକୁ ମିଳିବ । ତେଣୁ ଇସିଙ୍କ ପକ୍ଷରୁ ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟରଙ୍କୁ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି ।

ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଇଭିଏମ ଓ ଭିଭିପାଟର ବ୍ୟବହାର ସର୍ମ୍ପକରେ ଭୋଟର ମାନଙ୍କୁ ସଚେତନ କରିବାକୁ ଅଭିଯାନ ଆରମ୍ଭ  କରାଯାଇଛି । ଯେହେତୁ ଚଳିତ ନିର୍ବାଚନରେ ଭିଭିପାଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ସେ ସର୍ମ୍ପକରେ ଭୋଟର ମାନଙ୍କୁ ଆଗୁଆ ସଚେତନ କରୁଛି ନିର୍ବାଚନ ଆୟୋଗ । ଭିଭିପାଟର ବ୍ୟବହାର ଦ୍ୱାରା ଇଭିଏମ ଟ୍ୟାମ୍ପରି ନେଇ ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବ ।

କାରଣ ଭିଭିପାଟ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଭୋଟର ଜାଣିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭିଭିପାଟ ମେସିନର ସ୍କ୍ରିନରେ ଭୋଟର ଦେଖିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଏପରିକି ଭୋଟ ଦେଇ ସାରିବା ପରେ ଏକ ସ୍ଲିପ ବାହାରିବ ଯେଉଁଥିରେ ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ ରହିବ । ଯାହାକୁ ଭୋଟ ଗଣତି ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ଏହି ନୂଆ ଜ୍ଞାନକୌଶଳ ବାବଦରେ ଭୋଟରଙ୍କୁ ସଚେତନ କରିବାକୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଞ୍ଚଳରେ ୩୦ ଗୋଟି ସଚେତନତା ରଥ ବୁଲିବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ରଥ ପ୍ରତ୍ୟେକ ଗାଁ ବୁଲିବ । ପ୍ରତ୍ୟେକ ଗାଡି ପାଇଁ ୨ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ପ୍ରତ୍ୟେକ ଗାଁରେ ୧୦୦ରୁ ୧୨୦ଟି ଭୋଟିଂ କରି ପୂରା ଭୋଟଗ୍ରହଣର ଡେମୋ ଦେଖାଇବେ । ଏନେଇ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ସୂଚନା ଦେଇଛନ୍ତି ।