ସେନା ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ପରୀକ୍ଷାର୍ଥୀଙ୍କୁ ନେବା ପାଇଁ ଚାଲିବ ୨ଟି ସ୍ୱତନ୍ତ୍ର ଟ୍ରେନ । ଭୁବନେଶ୍ୱରରୁ କୋରାପୁଟ, ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ଟ୍ରେନ୍ । ଜାଣନ୍ତୁ ଏହି ଟ୍ରେନ୍ ବାବଦରେ ଟିକିନିକି ତଥ୍ୟ ।

645

କନକ ବ୍ୟୁରୋ : ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ । ସେନା ପରୀକ୍ଷାର୍ଥୀଙ୍କ ପାଇଁ ଗଡିବ ୨ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ସୂଚନା ଦେଇଛି ପୂର୍ବତଟ ରେଳପଥ । ଟ୍ରେନରେ ଭିଡକୁ ଦୃଷ୍ଟିରେ ରଖି ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି ପୂର୍ବତଟ ରେଳବାଇ । ଗୋଟିଏ ଟ୍ରେନ୍ ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ । ଭୁବନେଶ୍ୱରରୁ କୋରାପୁଟ ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନଟି ରାତି ୮ଟାରେ ବାହାରିବ । ଦକ୍ଷିଣ ଓଡ଼ିଶାରୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏହା ବେଶ ସହାୟକ ହେବ । କାରଣ ଟ୍ରେନଟି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡା ଦେଇ କୋରାପୁଟରେ ପହଞ୍ଚିବ ।

ସେହିଭଳି ଦ୍ୱିତୀୟ ଟ୍ରେନଟି ସମ୍ବଲପୁର ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ଏହା ପୁରୀରୁ ରାତି ୧୧ଟାରେ ବାହାରିବ । ଭୁବନେଶ୍ୱର ଓ ଢେଙ୍କାନାଳ ଭାୟା ଦେଇ ଯାତ୍ରା କରିବ ଏହି ଟ୍ରେନ୍ । ଢେଙ୍କାନାଳ , ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ, ବଲାଙ୍ଗୀର ଓ ଝାରସୁୁଗୁଡାରୁ ଆସିଥିବା ପରୀକ୍ଷାର୍ଥୀ ଏହି ଟ୍ରେନରେ ଯାତ୍ରା କରିପାରିବେ ।

ସେହିଭଳି ଖୋର୍ଦ୍ଧା-ଖଡଗପୁର ପାସେଞ୍ଜର ଟ୍ରେନ୍ ସନ୍ଧ୍ୟା ୭ଟା ୩୦ ମିନିଟ୍ ସମୟରେ ଖୋର୍ଦ୍ଧା ଷ୍ଟେସନରୁ ବାହାରିବ । ଯାଜପୁର, ଭଦ୍ରକ, ବାଲେଶ୍ୱର, ବାରିପଦା ଅଞ୍ଚଳରୁ ଆସିଥିବା ପରୀକ୍ଷାର୍ଥୀ ମାନେ ଏହି ଟ୍ରେନରେ ଯାଇପାରିବେ । ଏହି ସମସ୍ତ ଟ୍ରେନରେ ଜେନେରାଲ ବଗି ରହିବ । ପରୀକ୍ଷାର୍ଥୀ ମାନେ ଜେନେରାଲ ବୁକିଙ୍ଗ କାଉଣ୍ଟର କିମ୍ବା ନିଜ ଫୋନରୁ ଟିକେଟ କରି ଏହି ଟ୍ରେନରେ ଯାତ୍ରା କରିପାରିବେ ।