ଦୂତି ଚାନ୍ଦଙ୍କୁ ରୌପ୍ୟ, ଏସିଆନ ଗେମ୍ସରେ ଚମକିଲେ ଓଡିଆ ଝିଅ । ୧୧.୩୨ ସେକେଣ୍ଡରେ ଅତିକ୍ରମ କଲେ ୧୦୦ ମିଟର ଦୂରତା

33

କନକ ବ୍ୟୁରୋ : ଏସିଆନ ଗେମ୍ସରେ ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ ପ୍ରତିଯୋଗିତା ଫାଇନାଲରେ ରୌପ୍ୟ ପଦକ ହାସଲ କଲେ ଦୂତି ଚାନ୍ଦ । ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଛନ୍ତି ଏହି ଭାରତୀୟ ଆଥଲେଟ । ଆଉ ଦୂତିଙ୍କ ଏହି ସଫଳତା ରାଜ୍ୟ ତଥା ଦେଶକୁ ଗର୍ବିତ କରିଛି । ଚଳିତ ଏସିଆନ ଗେମ୍ସରେ ପ୍ରଥମ ଓଡିଆ ଭାବେ ରୌପ୍ୟ ପଦକ ଜିତି ସଫଳତା ହାସଲ କରିଛନ୍ତି ଦୂତି ଚାନ୍ଦ । ଆଉ ଦୂତିଙ୍କ ଏହି ସଫଳତା ପରେ ଭାରତର ପଦକ ସଂଖ୍ୟା ୩୬ରେ ପହଞ୍ଚିଛି । ଏହାପୂର୍ବରୁ ଆଜି ହୋଇଥିବା ସେମିଫାଇନାଲ ମୁକାବିଲାରେ ୧୧.୪୩ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲକୁ ପ୍ରବେଶ କରିଥିଲେ ଏହି ଓଡିଆ ଝିଅ ।

ଏହାପୂର୍ବରୁ ଭାରତର ହିନା ଦାସ ୪୦୦ ମିଟର ମହିଳା ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ହିମା ଫାଇନାଲରେ ମାତ୍ର ୫୦.୭୯ ସେକେଣ୍ଡରେ ୪୦୦ ମିଟର ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ହାସଲ କରିବା ସହ ରୌପ୍ୟ ପଦକ ଜିତିଥିଲେ । କେବଳ ହିନା ନୁହେଁ ଭାରତୀୟ ଧାବକ ମହମ୍ମଦ ଅନସ ୟାହିଆ ୪୦୦ ମିଟର ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ଏହାସହ ଭାରତ ୭ଟି ସ୍ୱର୍ଣ୍ଣ ସହ ମୋଟ ୩୬ ପଦକ ପାଇ ପଦକ ତାଲିକାର ୯ମ ସ୍ଥାନରେ ପହଞ୍ଚିଛି ।