ଗାଁ ଯୁବକଙ୍କ ପାହାଡ ଚଢା ସ୍ୱପ୍ନ : ବାଙ୍କୀର ଜଳଖିଆ ଦୋକାନୀଙ୍କ ପର୍ବତାରୋହଣ ନିଶା, ଦୁର୍ଗାପୁରର ଦୁର୍ଗାମାଧବ ମହାପାତ୍ରଙ୍କ ସଂଘର୍ଷର  କାହାଣୀ

329

କନକ ବ୍ୟୁରୋ : ପେଶାରେ ଜଣେ ଜଳିଖିଆ ଦୋକାନୀ, କିନ୍ତୁ ନିଶା ତାଙ୍କର ପର୍ବତ ଚଢିବା । ଅର୍ଥ ଅଭାବରୁ ଅତି କମ୍ ବୟସରୁ ନିଜ ପରିବାରର ଦାୟିତ୍ୱ ମୁଣ୍ଡାଇ ଜଳଖିଆ ଦୋକାନ ଚଲାଉଛନ୍ତି । ହେଲେ ନିଜ ଗାଁ ତଥା ରାଜ୍ୟ ପାଇଁ କିଛି କରିବା ଲକ୍ଷ୍ୟରେ ପର୍ବତ ଆରୋହଣକୁ ନିଶା ରୂପରେ ଆପଣାଇଛନ୍ତି । ସେମିତି ଜଣେ ଯୁବ ପ୍ରତିଭା ହେଉଛନ୍ତି ବାଙ୍କି ବ୍ଲକ ଦୁର୍ଗାପୁରର ଦୁର୍ଗାମାଧବ ମହାପାତ୍ର । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଅନେକ ପର୍ବତ ଆରୋହଣ କରିଥିବା ଦୁର୍ଗାମାଧବଙ୍କ ସଂଘର୍ଷର କାହାଣୀକୁ ନେଇ ଦେଖନ୍ତୁ ଆମର ଏହି ରିପୋର୍ଟ ।

ବାଙ୍କୀ ବ୍ଲକ ଦୁର୍ଗାପୁର ଗାଁର ଦୁର୍ଗାମାଧବ ମହାପାତ୍ର । ଜଳଖିଆ ଦୋକାନରେ ଦିନରାତି କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ପରିବାର ଚଳାଇବାର ବୋଝ ତାଙ୍କୁ ଅତି ଅଳ୍ପ ବୟସରେ ଜଳଖିଆ ଦୋକାନୀର ପରିଚୟ ଦେଇଥିଲା । ହେଲେ ଏବେ ସେ ନିଜ ଗାଁରେ ଏବଂ ଆଖପାଖ ଅଂଚଳରେ ଜଣାଯାଉଛନ୍ତି ଜଣେ ପର୍ବତାରୋହୀ ଭାବେ । ବିଜୁ ପଟ୍ଟନାୟକ ହିମାଲୟନ ଟ୍ରଷ୍ଟ ପକ୍ଷରୁ ୫ଥର ପାହାଡ ଆରୋହଣ କରିଛନ୍ତି ଦୁର୍ଗାମାଧବ । ପଶ୍ଚିମବଙ୍ଗର ସ୍ୟାଣ୍ଡକୁଫ, ଉତ୍ତରାଖଣ୍ଡର ରୁଦଗେରିଆ, ରୂପକୁଣ୍ଡ ଓ ଦାର୍ବୋଟପ ଭଳି ବଡ ବଡ ପର୍ବତ ଆରୋହଣ କରିଛନ୍ତି ଦୁର୍ଗାମାଧବ । ଆଉ ଏଥିପାଇଁ ତାଙ୍କୁ ଅନେକ କଷ୍ଟ ବି କରିବାକୁ ପଡିଛି । ଜଳଖିଆ ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ପରିବାର ଚଳାଇବା ସହ ବଳକା ଅର୍ଥରେ ପର୍ବତାରୋହଣର ସ୍ୱପ୍ନ ପୂରା କରିଥାନ୍ତି ଦୁର୍ଗାମାଧବ । ଆଗକୁ ଯଦି ସରକାରଙ୍କ ସହାୟତା ମିଳତା ତାହାଲେ ମାଉଁଟ ଏଭରେଷ୍ଟ ଆରୋହଣର ସ୍ୱପ୍ନ ପୁରା କରିପାରନ୍ତେ ବୋଲି କହିଛନ୍ତି ଦୁର୍ଗା ।

ବାଙ୍କୀର ଏକ ଅଖ୍ୟାତପଲ୍ଲୀରେ ଜନ୍ମିତ ଏହି ଯୁବକଙ୍କୁ ମିଳିଛି ଏକ ପରିଚୟ । ନିଜ ଗାଁ ତଥା ସ୍ଥାନୀୟ ଅଂଚଳରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ, ଅନେକ ଜାଗାରେ ସମ୍ମାନୀତ ମଧ୍ୟ ହୋଇଛନ୍ତି । ଦୁର୍ଗାମାଧବ ନିଜ ଅଂଚଳପାଇଁ ଏକ ଗୌରବ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ପୁଅର ସଫଳତାରେ ବହୁତ ଖୁସିଥିବା କହିଛନ୍ତି ଦୁର୍ଗାମାଧବଙ୍କ ମାଆ  ।