ଆସୁଛନ୍ତି ମହାମାୟା : ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ଷଷ୍ଠୀ

ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ; କରୋନା କଟକଣାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା

119

କନକ ବ୍ୟୁରୋ : ଆସୁଛନ୍ତି ମହାମାୟା । ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା, ମଣ୍ଡପରେ ଷଷ୍ଠୀ ପାଳନ ହେବ ଷଷ୍ଠୀ ପୂଜା । ଜଗତଜନନୀଙ୍କ ଆଗମନ ପାଇଁ ସବୁଠି ଉତ୍ସବର ପରିବେଶ । କରୋନା କଟକଣାରେ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା । କୋଭିଡ ଗାଉଡ଼ଲାଇନ ମାନି ମନ୍ଦିରରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଡମଣାସ୍ଥିତ ଗୋପୀନାଥଜିଉ ଦୁର୍ଗାପୂଜା‌ କମିଟି । ଏଥର ମଣ୍ଡପରେ ଝଲସିବନି ରଙ୍ଗିନ ଆଲୋକମାଳା । ଡିଜେ ଗୀତର ତାଳେ ତାଳେ ଦୁଲୁକିବନି ମେଲୋଡି ମଞ୍ଚ । କି ରାବଣ ପୋଡ଼ି ହୋଇ ଭଳିକି ଭଳି ଆତସବାଜି ଦେଖିବାକୁ ମିଳିବନି । ବରଂ ଦେଶକୁ କରୋନା ମୁକ୍ତ ପାଇଁ ମହାମାୟାଙ୍କ ପାଖରେ ହେବ ବିଶ୍ବଶାନ୍ତି ଯଜ୍ଞ । ଏଥି ସହ ମା’ଙ୍କ ନୀତିକାନ୍ତି ପୂଜାରେ ଶାଗ ପଖାଳ ଭୋଗରେ ଆବାହନ କରାଯିବ। ସେହି ଭୋଗକୁ ପ୍ରସାଦ ରୂପେ ନିକଟରେ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯିବ । ଷଷ୍ଠୀ ପୂଜାଠାରୁ ଦଶମୀ ପର୍ଯ୍ୟନ୍ତ, ସବୁଦିନ ସକାଳ ଆଳତି ଓ ସନ୍ଧ୍ୟା ଆଳତିରେ ୧୦୮ ଦୀପଦାନ ସହ ଝାଡ଼ ଦୀପରେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବ । ବିଧି ରକ୍ଷା ପାଇଁ ଏଥର କେବଳ ପୂଜା ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ନ ହୋଇ ସେହି ଅର୍ଥରେ ସ୍ଥାନୀୟ ଅଞ୍ଚଳରେ ଦୁଇ ହଜାର ଚାରା ବଣ୍ଟନ କରାଯିବ ।

ପୂଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କମିଟି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ହେବ । ଡମଣା ଟ୍ରାଫିକ୍‌ ଛକରେ ସଦସ୍ୟମାନେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବାଣ୍ଟି ସଚେତନ କରାଇବେ । ଏଥିପାଇଁ ପୂଜା କମିଟି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ୨୦୧୨ରୁ ଆରମ୍ଭ ହୋଇଥିବା ଏହି ପୂଜା ଡମଣା ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା ଆଣି ସମସ୍ତଙ୍କୁ ଏକ ଶୃଙ୍ଖଳାରେ ବାନ୍ଧିରଖିଛି । ପ୍ରଥମ ବର୍ଷଠାରୁ ଏଠାରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇ ଆସୁଥିଲେ ମଧ୍ୟ ଗତବର୍ଷ ବନ୍ଦ ରହିଥିଲା । ଏଥର ବି କଟକଣା ଲାଗିଥିବାରୁ ରାବଣ ପୋଡ଼ି ବନ୍ଦ ରହିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି ।