ସଚେତନତା ଅଭାବରୁ ଯୋଜନାକୁ ହରିଲୁଟ କରୁଛନ୍ତି ଅସାଧୁ କର୍ମଚାରୀ: ପାଇଖାନା ନକରି, ବାହ୍ୟ ମଳ ମୁକ୍ତ ଗାଁ ଫଳକ ଲଗାଇଛି ପ୍ରଶାସନ 

84

କନକ ବ୍ୟୁରୋ: ଜନସାଧାରଣଙ୍କ ସଚେତନତା ଅଭାବରୁ ଯୋଜନାକୁ ହରିଲୁଟ କରୁଛନ୍ତି ଅସାଧୁ କର୍ମଚାରୀ । ନୟାଗଡ ଜିଲ୍ଲା ନଛିପୁର ପଂଚାୟତ ତାଳସାହି ଗାଁରୁ ଆସିଛି ଏମିତି ଅଭିଯୋଗ । ଗାଁରେ କାହାରି ବାଡିରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରାଯାଇନାହିଁ । କିନ୍ତୁ ବାହ୍ୟ ମଳ ମୁକ୍ତ ଗାଁ ଘୋଷଣା କରାଯାଇ ଅର୍ଥକୁ ହରିଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

ବର୍ଷକ ବାର ମାସ, ଶୌଚ ପାଇଁ ବନ୍ଧହୁଡାକୁ ଯାଉଛନ୍ତି ଗ୍ରାମବାସୀ । କାରଣ କାହାରି ଘରେ ପାଇଖାନା ନାହିଁ । ଆଜିର ସମୟରେ ଏମିତି ଚିତ୍ର ଆସିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ ତାଳସାହିରୁ । ଗୋଟିଏ ପଟେ ଗ୍ରାମବାସୀ କହୁଛନ୍ତି ସେମାନେ ଶୌଚ ପାଇଁ ବନ୍ଧହୁଡାକୁ ଯାଉଛନ୍ତି, ଅନ୍ୟପଟେ ଗାଁ ମୁଣ୍ଡରେ ଲାଗିଛି ବାହ୍ୟ ମଳମୁକ୍ତ ଗାଁ ଫଳକ ।

ନୟାଗଡ ଜିଲ୍ଲା ଜଳ ଓ ପରିମଳ ମିଶନ ଜରିଆରେ ଲାଗିଥିବା ଏହି ଫଳକର ସତ ଜାଣିବାକୁ ଚେଷ୍ଟା କରିବାରୁ ସାମ୍ନାକୁ ଆସିଛି ଏକ ରୋଚକ ତଥ୍ୟ । ଗାଁରେ କାହାରିକୁ ପଇଖାନା ମିଳିନଥିବା ବେଳେ ୬ ମାସ ତଳୁ ରାତି ଅଧିଆ କେହି ଏହାକୁ ଲଗାଇ ଚାଲିଯାଇଛି । ପଂଚାୟତ କର୍ତୃପକ୍ଷ ଗ୍ରାମବାସୀଙ୍କୁ କହୁଛନ୍ତି, ପାଇଖାନା ଯୋଗାଇ ଦିଆଯିବ ବୋଲି ଏହି ଫଳକ ଲଗାଯାଇଛି ।

କେବଳ ପାଇଖାନା ନୁହେଁ । ପାନୀୟ ଜଳ ଯୋଗାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । ୪ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ସୋଲାର ସିଷ୍ଟମ ୧୫ ଦିନ ଚାଲି ବନ୍ଦ ହୋଇଯାଇଛି । ଫଳରେ ଗାଁ ଠାରୁ ଦୂରରେ ଥିବା କୂଅରୁ ପାଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ସେପଟେ ପାଇଖାନା ଦୁର୍ନୀତି ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ନେବେ ବୋଲି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

କାହରି ଘରେ ଶୌଚାଳୟ ନଥାଇ ଗାଁକୁ ବାହ୍ୟ ମଳ ମୁକ୍ତ ଘୋଷଣା କରାଯିବା ଘଟଣାରେ ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛି, ତା’ଉପରେ ସମସ୍ତଙ୍କ ନଜର ରହିଛି ।