ନକଲି ଔଷଧ କାରବାର ଧରାପଡିବା ପରେ ବଢିଲା ତନାଘନା: ପୁରୀଘାଟ ଥାନାରେ ଏତଲା ଦେଲେ ଡ୍ରଗ୍ସ ଇନସ୍ପେକ୍ଟର

103

କନକ ବ୍ୟୁରୋ: ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଭି.ଆର. ଏଜେନ୍ସୀ ଓ ପୂଜା ଏଂଟରପ୍ରାଇଜେସ୍ର ୪ ଜଣଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏତଲା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି କମିସନରେଟ୍ ପୁଲିସ । ତେବେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଡ୍ରଗ୍ସ ଇନ୍ସପେକ୍ଟର କହିଛନ୍ତି ଏତଲାରେ ଦର୍ଶାଯାଇଛି ଯେ ନକଲି ଔଷଧ ବିକିବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପାଇଁ ପ୍ରୟାସ କରାଯାୁଛି । ଏହାକୁ ରୋକିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରାଯାଇଛି ।

ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ଓ ଟେଲମା-ଏଏମ୍ ନାଁରେ ନକଲି ଔଷଧ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା । ଏହାପରେ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଚଢ଼ାଉ କରାଯାଇଥିଲା । ନିର୍ଦ୍ଦିଷ୍ଟ ବ୍ୟାଚର ଔଷଧ ବିକ୍ରି ନକରି ଫେରାଇ ଦେବାକୁ ଔଷଧ ଦୋକାନୀଙ୍କୁ କୁହାଯାଇଥିଲା । ରେଡ୍ ସମୟରେ ୩୦ ଲକ୍ଷରୁ ଅଧିକ ଔଷଧ ଜବତ କରାଯାଇଥିଲା । ଆଉ ଏକ ବଡ଼ ସୂଚନା ହେଉଛି, ଜବତ ହୋଇଥିବା ଔଷଧର ନମୁନା ଗ୍ଲେନମାର୍କ କଂପାନୀକୁ ପଠାଯାଇଥିଲା । କଂପାନୀ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି, ଯେଉଁ ନମୁନା ପଠାଯାଇଛି, ତାକୁ ତିଆରି କରିନାହିଁ ଗ୍ଲେନମାର୍କ । ସୂଚନା ମିଳିଛି, ବାଙ୍ଗାଲୋର ଓ ବିହାରରୁ ଏହି ନକଲି ଔଷଧ ଆଣି ବିକ୍ରି କରାଯାଉଥିଲା ।