ରାଜ୍ୟରେ କେମିତି ହେଉଛି ବ୍ରାଉନସୁଗାର ବେପାର ? ନିଶାଡି ଖୋଲିଲା କାରବାରର ଗୁମର; ଗୋଟିଏ ଫୋନରେ ଜଳେଶ୍ୱରରୁ ଆସୁଛି ଧଳା ଜହର

215

କନକ ବ୍ୟୁରୋ : ଗତ ବୁଧବାର ଭୁବନେଶ୍ୱର କେଶୁରାରେ ଜଣଙ୍କ ଘରୁ ୫୫୦ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା କମିଶନରେଟ ପୋଲିସ । ସେହିପରି ଗତକାଲି ଭଦ୍ରକରୁ ଜଳେଶ୍ୱର ଚାଲାଣ ବେଳେ ୧ କିଲୋ ୯୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଭଦ୍ରକ ଗ୍ରାମାଂଚଳ ପୋଲିସ । ତେବେ ରାଜ୍ୟକୁ କେଉଁଠୁ ଆସୁଛି ପୁଳା ପୁଳା ଧଳା ଜହର ? ଏନେଇ ସୂଚନା ଦେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, କୋଲକାତାରୁ ବାଲେଶ୍ୱରର ଜଳେଶ୍ୱର ଦେଇ ଏସବୁ ନିଷିଦ୍ଧ ଡ୍ରଗ୍ସ ରାଜ୍ୟକୁ ପ୍ରବେଶ କରୁଛି ।

ଏହାର ପ୍ରମାଣ ଦେଲାଭଳି ଏକ ଚିତ୍ର କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି । କଟକ ସିଡିଏରେ ଏକ ଅର୍ଦ୍ଧ ନିର୍ମିତ କୋଠାଘରେ ଜଣେ ନିଶାଡି ବ୍ରାଉନସୁଗାର ସେବନ କରୁଥିବାବେଳେ ପହଂଚିଥିଲା କନକ ନ୍ୟୁଜ ଟିମ୍ । ତାଙ୍କ କହିବା ହେଲା ୭୫୦ ଟଙ୍କା ଦେଲେ ମିଳୁଛି ଗୋଟିଏ ପୁଡିଆ । ଥରେ ନିଶା କରିବା ପରେ ଏହାର ପ୍ରଭାବ ୫ ଘଂଟା ରହୁଛି । ତାଙ୍କ କହିବା କଥା ହେଲା, ଗୋଟିଏ ଫୋନକଲରେ ବାଲେଶ୍ୱରର ଜଳେଶ୍ୱରରୁ କଟକରେ ଆସି ପହଂଚି ଯାଉଛି ବ୍ରାଉନସୁଗାର । ଫୋନରେ କଥାବାର୍ତ୍ତା ପରେ ଜାଗା ସ୍ଥିର ହୋଇଗଲେ ଏକାଠି ହେଉଛନ୍ତି ବେପାରୀ ଓ ଗ୍ରାହକ । ପାଠସାଠ ପଢୁଥିବା ଯୁବକ ବି ରୀତିମତ ଏହି ନିଶାରେ ପଡିଛନ୍ତି । ଏମିତି ଅଭ୍ୟାସରେ ପଡିଛନ୍ତି ଯେ, ନିଶା ନେବା ସମୟ ହୋଇଗଲେ ଦେହକୁ ଅଶ୍ୱସ୍ତି ଲାଗୁଛି । ପଇସା ପାଇଁ ଘରେ ଅନେକ ସମୟରେ ଝଗଡା ବି ହେଉଛି ।

ଏହି ଖବର ଜଣାଇବା ପଛରେ ଉଦ୍ଦେଶ୍ୟ ହେଉଛି, ଆପଣଙ୍କୁ ସଚେତନ କରିବା । ନିଶା ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଜାଣି ମଧ୍ୟ ଅନେକ ଯୁବପିଢି ନିଶା ସେବନରେ ମାତୁଛନ୍ତି । ଆଉ ପୁଳାପୁଳା ଟଙ୍କା ରୋଜଗାର କରିବାର ଲୋଭରେ ନିଶା କାରବାର ବି କରୁଛନ୍ତି । ଖବର ମିଳିଲେ ପୋଲିସ ଧରୁଛି । ନହେଲେ ଅବାଧରେ ଚାଲୁଛି ନିଶା କାରବାର । ନିଶା ଖାଇ ଅନେକ ଅପରାଧ ବି ଘଟାଉଛନ୍ତି । ତେଣୁ ନିଶା ସେବନଠାରୁ ଦୂରେଇ ରହିବା ହିଁ ଏକମାତ୍ର ବାଟ । ନିଶା ନଖାଇଲେ ନିଶା କାରବାର ହେବନାହିଁ ।