ସାରାଦେଶରେ ୧୦ପ୍ରତିଶତ କମ୍ ବର୍ଷା । ଜଳଭାବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗଜା ମରୁଡି ଆଶଙ୍କା । ଜଳି ଯାଉଛି ଧାନ ତଳି, ଚାଷ ବୁଡି ଯାଉଥିବା ବେଳେ ଚାଷୀଙ୍କ ଆଶା ବଢାଇଲା ପାଣିପାଗ ବିଭାଗର ଆକଳନ ।

321

କନକ ବ୍ୟୁରୋ: ଯେଉଁ ସମୟରେ ବିଲବାଡି ବର୍ଷାଜଳରେ ଭାସିବା କଥା, ସେ ସମୟରେ ବର୍ଷାର ଦେଖାନାହିଁ । କେନାଲରେ ପାଣି ନାହିଁ । ପୋଖରୀ, ଗାଡିଆ ଶୁଖିଲା ପଡିଛି । ବର୍ଷା ଉଭାନ ହେତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀ ହା ହା କାର ଡାକିଲେଣି । ପରିସ୍ଥିତି ଏପରି ହୋଇଛି ଆଉ ଗୋଟେ ସପ୍ତାହ ମଧ୍ୟରେ ବର୍ଷା ନହେଲେ ସମ୍ପୂର୍ଣ୍ଣ ଖରିଫ ଧାନଚାଷ ଉଜୁଡି ଯିବାର ଆଶଙ୍କା ରହିଛି । ସେପଟେ ଭାରତୀୟ ପାଣିପାଗ ବିଭାଗ କହିଛି, ଜୁଲାଇ ମାସରେ ୧୦ ପ୍ରତିଶତ କମ ବର୍ଷା ହୋଇଛି, ଜୁଲାଇ ମାସରେ ଲଘୁଚାପର ଦେଖା ନଥିବାରୁ ଏହା ମୌସୁମୀକୁ ସକ୍ରିୟ କରିପାରି ନାହିଁ ।

କଥାରେ ଅଛି ଚାଷ ତରତର ବଣିଜ ମଠ । ଚାଷୀ ତରତର ହେଲେ କଣ ହେବ ଶ୍ରାବଣରେ ବର୍ଷା ନାହିଁ । ତେଣୁ ଚାଷ କାମ ଆଗେଇ ପାରୁନାହିଁ । ଯାଜପୁର ଧର୍ମଶାଳାରୁ ମୟୁରଭଂଜର ଉଦଳା, ସବୁଠି ପାଣି ଅଭାବରୁ ଚାଷ ପ୍ରଭାବିତ ହୋଇଛି । ପ୍ରବଳ ଖରାରେ ଚାଷୀ ପରିଶ୍ରମ କରି କ୍ଷେତକୁ ସଜାଡିଛି । ହେଲେ ପାଣି ନଥିବାରୁ ରୁଆ ପୋତା କାମ ହୋଇପାରୁନଥିବା ବେଳେ ମଟର ଲଗାଇ ତଳି ବଂଚାଉଛନ୍ତି ଚାଷୀ ।

ନଦୀନାଳ ଘେରା କେନ୍ଦ୍ରାପଡା ରାଜନଗର ଅଂଚଳର ୮୦ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ୯୦% ଜମିରେ ଖରିଫ ଧାନ ଫସଲ କରି ୨୯ଟି ପଂଚାୟତର ଚାଷୀ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏଥର ଆଷାଢ ଓ ଶ୍ରାବଣରେ ବର୍ଷା ଉଭାନ ହୋଇଯିବାରୁ ଧାନ ତଳି ସବୁ ଜଳି ଯାଉଛି । ଜଗତସିଂହପୁର ଜିଲ୍ଲାରେ ବି ସମାନ ସ୍ଥିତି ସୃଷ୍ଟି ହୋଇଛି । ଚାଷବାସ ପୁରା ଠପ୍ ହୋଇଯାଇଛି ।

ଉତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ସବୁଠି ଅଭାବି ବର୍ଷାର ଦୁଃଖ । ପୁରୀ ଜିଲ୍ଲାର ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଗଜା ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ଷାର ଦେଖା ନଥିବା ବେଳେ କେନାଲରେ ପାଣି ଆସୁନି, ଫଳରେ ଏହି ସବୁ ଅଂଚଳର ହେକ୍ଟର ହେକ୍ଟର ଚାଷ ଜମି ଫାଟି ଆଁ କରିଛି ।

ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଜୁଲାଇ ମାସରେ ଦେଶର ଅନେକ ସ୍ଥାନରେ ୧୦% କମ ବର୍ଷା ହୋଇଛି । ଉତରପଶ୍ଚିମ ଏବଂ କେନ୍ଦ୍ରୟ ରାଜ୍ୟ ଗୁଡିକରେ ଜୁଲାଇରେ ଗତ ୫ ବର୍ଷରେ ସବୁଠାରୁ କମ୍ ବର୍ଷା ହୋଇଛି । ଜୁନରେ ୧୮% ବର୍ଷା ହୋଇଥିବା ବେଳେ ଜୁଲାଇରେ ୧୦% କମ୍ ବର୍ଷା ହୋଇଛି । ଏହାସହ ଆଇଏମଡି କହିଛି, ଜୁଲାଇରେ ବିଲକୁଲ୍ ଲଘୁଚାପ ହୋଇନାହିଁ, ବିଗତ ବର୍ଷ ମାନଙ୍କରେ ଏହି ସମୟରେ ୩ରୁ ୪ଟି ଲଘୁଚାପ ସୃଷ୍ଟି ହୋଇଥାଏ, ଫଳରେ ମୌସୁମୀକୁ ସକ୍ରିୟ କରିବାରେ ଏହା ସହାୟକ ହୁଏ । ତେବେ ସାରା ରାଜ୍ୟରେ ଆସନ୍ନ ମରୁଡି ମୁଣ୍ଡ ଟେକୁଥିବା ବେଳେ ଅଗଷ୍ଟ-ସେପ୍ଟେମ୍ବର ମାସରେ ଆବଶ୍ୟକତା ଠାରୁ ଭଲ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।