କନକ ବ୍ୟୁରୋ : ନିଅଣ୍ଟିଆ ବର୍ଷା ବେଳେ ଶୁଖିଲା ପଡିଛି କେନାଲ । ପାଣି ଅଭାବରୁ ରାୟଗଡା ଜିଲ୍ଲାରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏଯାଏଁ ଶହ ଶହ ହେକ୍ଟର ଜମିରେ ଲଙ୍ଗଳ ବୁଲି ନାହିଁ । ଅନେକ ସ୍ଥାନରେ ତଳିଘରା ପାଣି ଅଭାବରୁ ପୋଡି ନଷ୍ଟ ହେବାକୁ ବସିଛି । ଅଗଷ୍ଟ ମାସର ସାମାନ୍ୟ ବର୍ଷାରେ ଜିଲ୍ଲାର ଚାଷୀମାନେ ଜମି ପ୍ରସ୍ତୁତ କରି ତଳିି ପାଇଁ ଧାନ ବୁଣିଥିଲେ । ତାହା ଏବେ ନଷ୍ଟ ହେବାକୁ ବସିଛି ।

Advertisment

ସେହିପରି କପା ଚାଷ ପାଇଁ ଜିଲ୍ଲାରେ ପାଗ ଅନୁକୁଳ ହୋଇନାହିଁ । ପାଣି ଅଭାବରୁ କିଛି କ୍ଷେତ ଫାଟି ଆଁ କରିଥିବା ବେଳେ ଚାଷୀ ଆତଙ୍କିତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ସେହିପରି ୪୮ ହଜାର ହେକ୍ଟର ଜମିରେ କପା, ୨୦ ହଜାର ହେକ୍ଟର ଜମିରେ ମାଣ୍ଡିଆ, ୧୫ ହଜାର ହେକ୍ଟର ଜମିରେ ମକା ଓ ଡାଲି ଜାତିୟ ଶସ୍ୟ ଓ ପନିପରିବା ଚାଷ କରିଥାନ୍ତି ଚାଷୀ ।

୭୦ ହଜାର ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ରହିଥିବା ବେଳେ ୧ ଲକ୍ଷ ୧୨ ହଜାର ୬୦୦ ହେକ୍ଟର ଜମି ଅଣଜଳସେଚିତ ଅବସ୍ଥାରେ ରହିଛି । ତେବେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବ୍ୟାହତ ହେବା କଥାକୁ ଜିଲ୍ଲା କୃଷି ଅଧିକାରୀ ସ୍ୱୀକାର କରିଛନ୍ତି । ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜିଲ୍ଲା ମୂଖ୍ୟ କୃଷି ଅଧୀକାରି ପ୍ରକାଶ କରିଛନ୍ତି ।