ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ ଉପରେ  ଉଡିଲା ଡ୍ରୋନ । ପ୍ରତିବାଦ ଜଣାଇଲା ଭାରତ । 

211

କନକ ବ୍ୟୁରୋ : ରବିବାର ରାତିରେ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ ପରିସରରେ ଗୋଟାଏ ଡ୍ରୋନ୍‌ ଦେଖା ଯାଇଥିବା କଥା ବିଶେଷ ସୂତ୍ରରୁ ଜଣାପଡ଼ିଛି। ନିରାପତ୍ତା ଉଲ୍ଲଂଘନ ହୋଇଥିବା ଦର୍ଶାଇ ଭାରତ ଏ ଘଟଣାରେ ପାକିସ୍ତାନକୁ ତୀବ୍ର ପ୍ରତିବାଦ ଜଣାଇଛି।

ଗତ ସପ୍ତାହରେ ଜମ୍ମୁ ଓ କଶ୍ମୀରରେ ଥିବା ବାୟୁସେନା ଘାଟିରେ ଡ୍ରୋନ୍‌ ଆକ୍ରମଣ କାରଣରୁ ଉତ୍ତେଜନାମୟ ପରସ୍ଥିତି ସୃଷ୍ଟି ହୋଇଥିବା ବେଳେ ଇସଲାମାବାଦସ୍ଥିତ ଭାରତୀୟ ହାଇକମିଶନ୍ ପରିଧି ମଧ୍ୟରେ ଡ୍ରୋନ୍‌ ଦୃଶ୍ୟମାନ ହେବା କଥାର ସବିଶେଷ ବିବରଣୀ ପ୍ରକାଶ କରାଯାଇଛି। ଏହା ହେଉଛି ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନରେ ଡ୍ରୋନ୍‌ ଦେଖାଯିବାର ପ୍ରଥମ ଘଟଣା। ଏହି ସମୟରେ ହାଇକମିଶନ୍ ମଧ୍ୟରେ କୌଣସି ଏକ କାର୍ଯ୍ୟକ୍ରମ ଚାଲିଥିଲା।

କେବଳ ଭାରତୀୟ ଦୂତାବାସ ନୁହେଁ ବରଂ ଜମ୍ମୁର ଆର୍ଣ୍ଣିଆ ସେକ୍ଟର୍‌‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଆଜି ପୁଣି ଏକ ସନ୍ଦିଗ୍ଧ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନା ଷ୍ଟେସନରେ ଦୁଇଟି ବିସ୍ଫୋରଣ ଘଟିବା ପରଠାରୁ ପଞ୍ଚମଥର ପାଇଁ ଜମ୍ମୁ-କାଶ୍ମୀରରେ ଡ୍ରୋନ ଦେଖିବାକୁ ମିଳିଛି ।

ପ୍ରାଥମିକ ସୂଚନା ଅନୁସାରେ, ଉକ୍ତ ଡ୍ରୋନଟି ତାରବାଡ଼ ପାଖରେ ଦୃଶ୍ୟମାନ ହୋଇଥିଲା। କିନ୍ତୁ, ଏହା ସୀମାନ୍ତ ଅତିକ୍ରମ ନ କରି ପାକିସ୍ତାନ ପଟରେ ରହିଥିଲା। ଜଣେ ସରକାରୀ ଅଧିକାରୀ କହିଛନ୍ତି, ପାକିସ୍ତାନର ଜୁମ୍ମାତ ପୋଷ୍ଟରୁ ଡ୍ରୋନଟି ଆସି ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଉଡୁଥିଲେ ବି ତାର ବାଡ଼ ଟପି ନ ଥିଲା। ବିପଦ ଆଶଙ୍କା କରି ‘ବିଏସଏଫ୍‌’ ଯବାନମାନେ ଉଡ଼ନ୍ତା ଡ୍ରୋନ୍‌ ଆଡ଼କୁ ୫/୬ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଆଉ ଏହାପରେ ଡ୍ରୋନଟି କେଉଁଆଡେ ଗାଏବ ହୋଇଯାଇଥିଲା ।

‘ବିଏସଏଫ୍‌’ର ମୁଖପାତ୍ର କହିଛନ୍ତି, ଭୋର୍‌ ସମୟରେ ଉକ୍ତ ଡ୍ରୋନଟି ଆର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତ ଅତିକ୍ରମ କରିବା ଲାଗି ଉଦ୍ୟମ କରୁଥିବା ବେଳେ ଜାଗ୍ରତ ଥିବା ‘ବିଏସଏଫ୍‌’ ଯବାନମାନେ ପାକିସ୍ତାନର ସେହି କ୍ଷୁଦ୍ର ‘ହେକ୍ସା କପ୍ଟର୍‌’ ବା ‘ଡ୍ରୋନ୍‌’ ଆଡ଼କୁ ଗୁଳି ଚଳାଇଥିଲେ। ଗୁଳି ବର୍ଷଣ ହେବାରୁ ଡ୍ରୋନଟି ଅବିଳମ୍ବେ ସେଠାରୁ ଫେରିଯାଇଥିଲା। ସେ ଅଞ୍ଚଳ ନିରୀକ୍ଷଣ କରିବା ଲାଗି ଡ୍ରୋନଟିକୁ ପଠାଯାଇଥିଲା।