ଡ୍ରାଇଭର ସଂଘ ଆନ୍ଦୋଳନ : ସୀମାରେ ଅଟକି ରହିଛି ମାଲବାହୀ ଟ୍ରକ; ଶଢ଼ୁଛି ଟମାଟୋ, ଆଳୁ, ପିଆଜ

188

କନକ ବ୍ୟୁରୋ : ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ଆନ୍ଧ୍ର ସୀମାରେ ଅଟକିଛି ଆଳୁ, ପିଆଜ ଟ୍ରକ । କୋଟପାଡ଼ ସୀମାରେ ଟମାଟୋ ସହ ଅତ୍ୟାବଶ୍ୟକ ସାମଗ୍ରୀ ଲୋଡ୍ ହୋଇଥିବା ମାଲବାହୀ ଟ୍ରକ ଅଟକି ରହିଛି । ଦିନେ କି ଦୁଇ ଦିନ ଭିତରେ ଏସବୁ ସାମଗ୍ରୀ ବଜାର କିମ୍ବା ଶୀତଳଭଣ୍ଡାରରେ ନ ପହଞ୍ଚିଲେ ନଷ୍ଟ ହେବା ନିଶ୍ଚିତ । ଯାହାର ପ୍ରଭାବ ପାଇକାରୀ ବଜାର ଉପରେ ପଡ଼ିବ । ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନରେ କୋରାପୁଟ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଥିବାରୁ ମାଲ ପରିବହନ ପ୍ରଭାବିତ ହୋଇଛି ।

ବାହାର ରାଜ୍ୟରୁ ଓଡ଼ିଶାକୁ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡ଼ିକୁ ମହାସଂଘ ପକ୍ଷରୁ ଅଟକ ରଖାଯାଇଛି । ଫଳରେ ୩ ଟି ଟ୍ରକରେ ଛତିଶଗଡ଼ରୁ ଜୟପୁର ଆସୁଥିବା ୬୦ ଟନ ଟମାଟୋ ଛତିଶଗଡ଼ ସୀମାନ୍ତ କୁନ୍ଦେଇରେ ପଡ଼ି ରହିଛି । ତେବେ ପରିବା ସବୁ ଖୋଲା ଆକାଶ ତଳେ ଥିବାରୁ ଖରା ବର୍ଷା ମାଡ଼ ଖାଇ ପଚିବା ଆରମ୍ଭ କଲାଣି । ଟମାଟୋ ସହ ୩ଟି ଆଳୁ ବୋଝେଇ ଟ୍ରକ, ୩ଟି ପିଆଜ ବୋଝେଇ ଟ୍ରକ, ଗୋଟିଏ ରସୁଣ ବୋଝେଇ ଟ୍ରକ ଅଟକି ରହିଛି । ଏପରି ୧୦ଟି ଟ୍ରକ ଛତିଶଗଡ଼ -ନବରଙ୍ଗପୁର ସୀମାରେ ବୁଧବାର ଭୋର ସମୟରୁ ଅଟକି ରହିଛି ।