ମଦୁଆ ଡ୍ରାଇଭରଙ୍କୁ ନିସ୍ତାର ନାହିଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ : ୨୪ ଘଂଟା ଭିତରେ ଗିରଫ ହେଲେଣି ୧୬୦ ନିଶାଗ୍ରସ୍ତ ଗାଡ଼ି ଚାଳକ

465

କନକ ବ୍ୟୁରୋ : ମଦୁଆ ଡ୍ରାଇଭରଙ୍କୁ ନିସ୍ତାର ନାହିଁ । ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛି । ୨୪ ଘଂଟା ଭିତରେ ଗିରଫ ହୋଇଛନ୍ତି ୧୬୦ ନିଶାଗ୍ରସ୍ତ ଗାଡ଼ି ଚାଳକ । ଗଂଜାମ ଜିଲ୍ଲାରେ ସର୍ବାଧିକ ୨୭ ଜଣ ଗିରଫ ହୋଇଥିବା ବେଳେ ମୟୁରଭଞ୍ଜରେ ୨୪, ଯାଜପୁର ୧୭ ଏବଂ ଅନୁଗୁଳ ଜିଲ୍ଲାରେ ୧୫ ଜଣ ଗିରଫ ହୋଇଛନ୍ତି । ମଦୁଆ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନାଦେଇଛନ୍ତି ଅନ୍ତରିଣ ଡିଜି ସତ୍ୟଜିତ୍ ମହାନ୍ତି ।

ସେପଟେ ଆଜି ୧୦ ହଜାର ଟଙ୍କା ଫାଇନ ଦେଲେ ମଦ୍ୟପ ଡ୍ରାଇଭର । ନୂଆ ମୋଟର ଯାନ ଆଇନ ଅନୁସାରେ ମଦ୍ୟପ ଯୁବକ ଜଣକ ୧୦ ହଜାର ଗଣିଛନ୍ତି । ବାଙ୍କୀ ଜାତମୁଣ୍ଡିଆ ଛକରେ କଟକ ଆରଟିଓ ଓ ପୁଲିସ ପକ୍ଷରୁ ଗାଡି ଯାଂଚ ଥିଲା । ଗାଡି ଯାଂଚ ବେଳେ ମଦ୍ୟପ ଯୁବକଙ୍କୁ ଆରଟିଓ ଓ ବାଙ୍କୀ ପୁଲିସ ଧରିବା ସହ ୧୦ ହଜାର ଟଙ୍କାର ଫାଇନ ପକାଇଥିଲେ ।

ଡିସେମ୍ବର ୧ରୁ ନୂଆ ମୋଟର ଯାନ ଆଇନ କଡାକଡି ହେବାକୁ ଥିବା ବେଳେ ଆରଟିଓ ଅଫିସରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ଆଉ ୩ ମାସ ପାଇଁ କଟକଣା କୋହଳ କରାଯାଇଛି । ତେବେ ଗାଡି କାଗଜପତ୍ର ଯାଂଚ ଛାଡିଥିଲେ ଆଉ ସମସ୍ତ ଟ୍ରାଫିକ ନିୟମ କାଲିଠୁ କଡାକଡି କରାଯିବ । ମଦ ପିଇ ଗାଡି ଚଳାଉଥିଲେ, ହେଲମେଟ ନ ପିନ୍ଧି ଗାଡି ଚଳାଉଥିଲେ କି ଟ୍ରାଫିକ ନିୟମ ନମାନିଲେ ମୋଟା ଅଙ୍କର ଫାଇନ ଦେବାକୁ ପଡିବ ।