ସକାଳୁ ସକାଳୁ ମନ୍ଦିରରେ କଲେ ପୂଜାର୍ଚ୍ଚନା, ଝାଡୁ କଲେ ମନ୍ଦିର ପ୍ରାଙ୍ଗଣ । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବଢିଲା ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା । 

109

କନକ ବ୍ୟୁରୋ: ଓଡିଶାର ଗୋଟିଏ ନିପଟ ଗାଁର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ, ସାରା ରାଜ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତାଙ୍କ ନାଁ ଘୋଷଣା ହେବା ପରଠାରୁ ତାଙ୍କୁ ଶୁଭେଛା ଜଣାଇବା ପାଇଁ ତାଙ୍କ ଘର ନିକଟରେ ଲୋକ ଭିଡ ଜମାଇଛନ୍ତିି । ଭୁବନେଶ୍ୱର ଅଭିମୁଖେ ଯିବା ବାଟରେ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ତାଙ୍କୁ ଶୁଭେଛା ଜଣାଇଛନ୍ତି । ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇଛନ୍ତି ।

  • ମନ୍ଦିରରେ କଲେ ପୂଜାର୍ଚ୍ଚନା
  • ଝାଡୁ କଲେ ମନ୍ଦିର ପ୍ରାଙ୍ଗଣ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଯେତେବେଳେ ସାରାଦେଶର ନଜର ଦ୍ରୌପଦୀ ମୁର୍ମୁଙ୍କ ଉପରେ ରହିଛି, ସେତିକିବେଳେ ସକାଳୁ  ସକାଳୁ ସେ ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି । ପ୍ରଥମେ ରାଇରଙ୍ଗପୁରର ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । କେବଳ ପୂଜାର୍ଚ୍ଚନା ନୁହେଁ ଶିବ ମନ୍ଦିରର ପରିସରକୁ ଝାଡୁ ମାରି ସଫା କରିଥିଲେ । ଏହି ଦୃଶ୍ୟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହାପରେ ସେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିଥିଲେ । ଖାଲି ସେତିକି ନୁହେଁ, ସେ ରାଇରଙ୍ଗପୁର ସ୍ଥିତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ପ୍ରାର୍ଥନା ମଧ୍ୟ କରିଥିଲେ । ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ପୂଜା କରିଥିଲେ ।

  • ବଢ଼ିଲା ଦ୍ରୌପଦୀଙ୍କ ସୁରକ୍ଷା ବ୍ୟବସ୍ଥା
  • ଦିଆଗଲା ଜେଡ-ପ୍ଲସ ସିକ୍ୟୁରିଟି

ନାଁ ଘୋଷଣା ହେବା ପରେ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି । ଦ୍ରୌପଦୀ ମୁର୍ମୁଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଯୋଗାଇଛନ୍ତି କେନ୍ଦ୍ର ସରକାର । ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ସକାଳୁ ସକାଳୁ ସେ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

  • ଦ୍ରୌପଦୀଙ୍କୁ ଏନଡିଏ କାହିଁକି କଲା ପ୍ରାର୍ଥୀ?
  • ଜନଜାତି ସମ୍ପ୍ରଦାୟ, ମହିଳାଙ୍କୁ ଗୁରୁତ୍ୱ

ଦ୍ରୌପଦୀ ମୁର୍ମୁଙ୍କୁ କାହିଁକି ରାଷ୍ଟ୍ରପତି ପ୍ରାର୍ଥୀ କଲା ଏନଡିଏ? ଏହାର କାରଣ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ସେ କହିଛନ୍ତି, ଆଦିବାସୀ ସଂପ୍ରଦାୟରୁ କେହି ରାଷ୍ଟ୍ରପତି ହୋଇନାହାନ୍ତି । ତେଣୁ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆଦିବାସୀ ସଂପ୍ରଦାୟକୁ ଗୁରୁତ୍ୱ ଦିଆଯାଇଥିଲା । ଦ୍ରୌପଦୀ ମୁର୍ମୁ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହାଦ୍ୱାରା ଆଦିବାସୀ ସମାଜ ବିଜେପିକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବେ । ଏଥିସହ ସହ ଦ୍ରୌପଦୀ ମୁର୍ମୁ ଜଣେ ଆଧ୍ୟାତ୍ମିକ ମହିଳା । ତାଙ୍କୁ କାମ କରିବା ଶୈଳୀ ଅଲଗା । ସେଥିପାଇଁ ତାଙ୍କୁ ଏହି ସୁଯୋଗ ମିଳିଲା  ।

ଏସବୁ ଭିତରେ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବ ପାଳନ କରିଛନ୍ତି ନେତା ଓ କର୍ମୀ । ବାଜାବଜାଇ , ବାଣ ଫୁଟାଇ, ପରସ୍ପରକୁ ମିଠା ଖୁସି ଜାହିର କରିଛନ୍ତିି ।