ଭାରତର ସବୁଠୁ ଥଣ୍ଡା ଅଞ୍ଚଳ ! ମାଇନସ୍ ୩୧ ଡିଗ୍ରୀରେ ମଧ୍ୟ ଦିନ ରାତି ସୀମାର ସୁରକ୍ଷା କରୁଛନ୍ତି ଭାରତୀୟ ଯବାନ

198

ଜମ୍ମୁ-କାଶ୍ମୀରର କାରଗିଲ ଦ୍ରାସରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ମାଇନସ ୩୧.୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଆସିଛି । କିନ୍ତୁ ଏତେ ଥଣ୍ଡାରେ ମଧ୍ୟ ଦେଶର ସୁରକ୍ଷା ପାଇଁ ଦିନ ରାତି ଏକ କରି ପହରା ଦେଉଛନ୍ତି ଭାରତୀୟ ସେନା । ଋଷର ସାଇବେରିଆର ପରେ ଦ୍ରାସ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଥଣ୍ଡା ଅନୁଭୂତ ହେଉଥିବା ଅଞ୍ଚଳ ।

ଭାରତରେ ଦ୍ରାସ ଠାରୁ ଅଧିକ ଥଣ୍ଡା ଏଯାଏଁ କେବେ ରେକର୍ଡ କରାଯାଇନାହିଁ । ଶ୍ରୀନଗର ଠାରୁ ୬୦ କିଲୋମିଟର ଦୂରରେ ଥିବା ଦ୍ରାସ ଅଞ୍ଚଳକୁ ହିମାଳୟ ଘେରି ରହିଛି । ଏଠାରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ, ନଦୀ ଓ ନାଳ ମଧ୍ୟ ବରଫ ଜମାଟ ବାନ୍ଧିଯାଏ । ଏଠାରେ ସବୁବେଳେ ତାପମାତ୍ର ମାଇନସ ୩୦ରୁ ମାଇନସ ୪୦ ଡିଗ୍ରୀ ମଧ୍ୟରେ ରହିଥାଏ । ୧୯୯୫ ମସିହାରେ ଏଠାରେ ସବୁଠୁ କମ ତାପମାତ୍ରା ମାଇନସ ୬୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏତେ ଥଣ୍ଡାରେ ମଧ୍ୟ ଏହି ଅଞ୍ଚଳରେ ୧୩୦୦ ଲୋକ ବସବାସ କରୁଛନ୍ତି ।

୧୯୯୯ ମସିହାରେ ଦ୍ରାସ ଅଞ୍ଚଳ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଟାଇଗର ହିଲରେ ପାକିସ୍ତାନ ସୈନିକ ମାନେ ଅନୁପ୍ରବେଶ କରିଥିଲେ । ଏହାପରେ ହୋଇଥିବା ଯୁଦ୍ଧରେ ସେଠାରୁ ପାକିସ୍ତାନ ସୈନିକଙ୍କୁ ବିଦା କରିଥିଲେ ଭାରତୀୟ ସୈନିକ । ଜଣେ ଭାରତୀୟ ସୈନିକଙ୍କ କହିବା ଅନୁଯାୟୀ, ଏଠାରେ ଏବେ ତାପମାତ୍ରା ମାଇନସ ୩୫ ଡିଗ୍ରୀ ରହିଛି । ଏହାସତ୍ତେ୍ୱ ମଧ୍ୟ ଭାରତୀୟ ଯବାନ ମାନେ ସୀମାର ସୁରକ୍ଷା ପାଇଁ ସକାଳ ୬ଟାରୁ ପେଟ୍ରୋଲିଂ କରିଥାନ୍ତି । ଏହି ସୈନିକଙ୍କୁ ଏଭଳି ଟ୍ରେନିଂ ଦିଆଯାଇଥାଏ ଯେ, ବରଫ ମଧ୍ୟରେ ଫସିଗଲେ ମଧ୍ୟ ୭୨ ଘଣ୍ଟା ନିଜକୁ ସୁରକ୍ଷିତ ରଖିପାରିବେ ।

ଭାରତୀୟ ସେନା ଏବେ ନିଜର ଟ୍ରେନିଂ ସେସନରେ ଅଧିକାଂଶ ସମୟ ଯୋଗ କରୁଛନ୍ତି । ଦ୍ରାସ ଭଳି ଥଣ୍ଡା ବାତାବରଣରେ ମଧ୍ୟ ଯବାନ ମାନଙ୍କୁ ବେଶ ଫାଇଦା ଦେଉଛି ଯୋଗ । ଏହାଦ୍ୱାରା ଯବାନ ମାନଙ୍କ ଚିନ୍ତା ଦୂର ହେବା ସହ ଫିଟ୍ ମଧ୍ୟ ରଖିଥାଏ । ତେଣୁ ପ୍ରତ୍ୟେକ ଦିନ ଏବେ ଯବାନ ମାନେ ଯୋଗ କରୁଥିବା ଦେଖିବାକୁ ମିଳୁଛି ।