ସମ୍ବଲପୁରରେ ମହାନଦୀକୁ ଅନବରତ ବୋହୁଛି ଡ୍ରେନ୍ ପାଣି । ବ୍ୟବହାର ପାଇଁ ନାକ ଟେକିଲେଣି ସ୍ଥାନୀୟ ବାସିନ୍ଧା ।

69

କନକ ବ୍ୟୁରୋ: ମହାନଦୀ ପାଲଟୁଛି ମହାଡ୍ରେନ୍ । ସମ୍ବଲପୁର ସହର ଡ୍ରେନ ପାଣି ମହାନଦୀକୁ ଛଡାଯାଉଥିବାରୁ ଏହାର ପାଣିକୁ ବ୍ୟବହାର ପାଇଁ ଭୟ କରୁଛନ୍ତି ସମ୍ବଲପୁର ବାସିନ୍ଦା । ସେପଟେ ଯେଉଁ ଧାରରେ ମହାନଦୀକୁ ଡ୍ରେନ ପାଣି ଛଡାଯାଉଛି ତାହା ଦେଖିଲେ ବ୍ୟବହାରକାରୀଙ୍କ ହୋସ ଉଡିଯିବ ।

ଜନସଂଖ୍ୟା ବଢିବା ସହ ସମ୍ବଲପୁର ସହରର ମହାନଗରରେ ପରିଣତ ହୋଇଛି । ଲୋକ ବଢିବାରୁ ପାଣିର ଆବଶ୍ୟକତା ଓ ବ୍ୟବହାର ମଧ୍ୟ ବଢିଛି । ଆଉ ଏସବୁର ମୁଖ୍ୟ ଉତ୍ସ ମହାନଦୀ । କିନ୍ତୁ ବର୍ତମାନ ମହାନଦୀର ସ୍ୱଚ୍ଛତାକୁ ଦେଖିଲେ ସ୍ଥାନୀୟ ବାସିନ୍ଦା ବି ନାକ ଟେକୁଛନ୍ତି ସମ୍ବଲପୁର ସହରର ସବୁ ଅଳିଆ ତଥା ଡ୍ରେନ ପାଣି ଅନବରତ ମହାନଦୀକୁ ବହୁଛି । ଆଉ ଏହାକୁ ଦେଖି ପାଣି ବଦଳରେ ବିଷ ବ୍ୟବହାର କରୁଥବା କୁହନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ଓଡିଶାର ଜୀବନ ରେଖାକୁ କେବଳ ଡ୍ରେନ ପାଣି ଛଡାଯାଉଛି ତା ନୁହେଁ, ଅଳିଆ ଆବର୍ଜନା ସବୁ ମହାନଦୀ ଧାରରେ ଫିଙ୍ଗି ଦିଆଯାଉଛି । ପ୍ରଶାସନିକ କଟକଣା କୋହଳ ଓ ସଚେତନତା ଅଭାବରୁ ମହାନଦୀ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ତେବେ ଏପରି ସ୍ଥିତିରେ ଯଦି ମହାନଦୀର ଶୁଦ୍ଧତାକୁ ନେଇ ପ୍ରଶାସନ ସଜାଗ ନହୁଏ ତେବେ ମହାନଦୀ ମହାଡ୍ରେନ ପାଲଟିବାରୁ କେହି ରକ୍ଷା କରିପାରିବେ ନାହିଁ ।