ଡ୍ରାଗନ ଫ୍ରୁଟ୍ ଚାଷ କରିଛି ସ୍ୱାବଲମ୍ବୀ । ୨୦ ଡିସିମିଲ ଜମିରେ ଡ୍ରାଗନ ଫ୍ରୁଟ ଲଗାଇ ହୋଇପାରିଛନ୍ତି ଲାଭବାନ ।

232

କନକ ବ୍ୟୁରୋ: ବରଗଡ ଜିଲ୍ଳା ବରପାଲି ବ୍ଳକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଯୁବ ଚାଷୀ ଜଟାଧାରୀ ପ୍ରଧାନ ଏବେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଚାଷକରି ଚର୍ଚ୍ଚାରେ ରହିଛନ୍ତି । ୟୁଟ୍ୟୁବ ମାଧ୍ୟମରେ ଦେଖି ଏବଂ କିଛି ନୂଆ କରିବାର ଲକ୍ଷ ନେଇ ସେ ଏହି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ତାହା ଏବେ ବେଶ ଲାଭପ୍ରଦ ହୋଇଛି ଜଟାଧାରୀଙ୍କ ପାଇଁ । ପ୍ରଥମେ ସେ ଧାନ ଚାଷ କରି ପରିବାର ପୋଷଣ କରୁଥିଲେ ,ଏବେ ସେ ୨୦ ଡିସିମିଲ ଭାଗ ଜମିରେ ଏହି ଚାଷ କରି ବେଶ ଲାଭବାନ ହୋଇଛନ୍ତି । ଏପରିକି ଏହି ବିଦେଶୀ ଫଳରେ ଔଷଧିୟ ଗୁଣ ଭରପୁର ଥିବାରୁ ମାର୍କେଟରେ ଏହାର ଚାହିଦା ବଢିବାରେ ଲାଗିଛି ଏବଂ ଅନ୍ୟ ଚାଷୀ ମଧ୍ୟ ଏପରି ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଧାଡି ଧାଡି ହୋଇ ରହିଛି କଣ୍ଟା ପରି ଦିଶୁଥିବା ଗଛ ଆଉ ଗଛରେ ଲାଲ ଲାଲ ହୋଇ ଫଳିଛି ବିଦେଶୀ ଫଳ ଡ୍ରାଗନ ଫ୍ରୁଟ । ଆଉ ଏହି ଡ୍ରାଗନ ଫ୍ରୁଟ ଚାଷ କରି ସଫଳ ହୋଇଛନ୍ତି ବରଗଡ ବରପାଲି ବ୍ଳକ କୁମ୍ଭାରୀ ଗ୍ରାମର ଯୁବ ଚାଷୀ ଜଟାଧାରୀ ପ୍ରଧାନ । ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ଜଟାଧାରୀ ୟୁଟ୍ୟୁବ ମାଧ୍ୟମରେ ଚାଷ କାର୍ଯ୍ୟର ପ୍ରଣାଳୀ ଦେଖି ଅନଲାଇନ ମାଧ୍ୟମରେ ଚାରା ମଗାଇବା ସହ ବାରଙ୍ଗପାଲି ଠାରେ ୨୦ ଡିସିମିଲ ଜମିରେ ଚାଷ କରିଛନ୍ତି ।

୯ ମାସ ପରେ ଏବେ ଏହି ଗଛରେ ଫୁଲ ସହ ରଙ୍ଗ ବେରଙ୍ଗର ଡ୍ରାଗନ ଫ୍ରୁଟ ଉତ୍ପାଦନ ହେଉଛି । ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ ଏହା କିଲୋପିଛା ୨୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୟ ହେଉଛି । ଜଟାଧାରୀ ପ୍ରଥମେ ଧାନ ଚାଷ କରୁଥିଲେ । ଏବେ ଧାନର ବିକଳ୍ପ ଭାବେ ଏହି ଡ୍ରାଗନ ଫ୍ରୁଟର ଉତ୍ପାଦନ କରିଛନ୍ତି ଏବଂ ବଜାରରେ ଏହାର ଭଳ ଚାହିଦା ରହିଥିବାରୁ ଆଗାମୀ ଦିନରେ ଆହୁରି ଚାଷ କରିବେ ବୋଳି ଜଟାଧାରୀ କହିଛନ୍ତି ।

ଅନ୍ୟପକ୍ଷରେ ଡ୍ରାଗନ ଫ୍ରୁଟରେ ଔଷଧୀୟ ଗୁଣ ଓ ରୋଗ ପ୍ରତିରୋଧକ ଶକ୍ତି ଭରି ରହିଛି , ଏପରିକି କ୍ୟାନସର,ଉଚ୍ଚ ରକ୍ତଚାପ ଓ ମଧୁମେହ ପାଇଁ ଏହା ଉପକାରୀ ବୋଲି କୁହାଯାଉଛି । ଥରେ ଏହି ଚାଷ କଲେ ୨୫ ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନର କ୍ଷମତା ମଧ୍ୟ ରହିଛି ଯାହାଦ୍ୱାରା କମ ଖର୍ଚ୍ଚରେ ଚାଷୀ ଅଧିକ ଲାଭବାନ ହେଉଛି । ତେବେ ଜଟାଧାରୀ ଆଗାମୀ ଦିନରେ ଆହୁରି ଅଧିକ ଡ୍ରାଗନ ଫ୍ରୁଟ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଜାତୀୟ କୃଷି ମିଶନ ଯୋଜନାରେ ସାମିଲ କରି ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲିି କହିଛନ୍ତି ବରଗଡ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ।