ଡବଲ ଇଞ୍ଜିନ ନା ସିଙ୍ଗିଲ୍ ଇଞ୍ଜିନ୍, କାହା ଫର୍ମୁଲା ହିଟ୍ ! ଭୋଟର ଏବେ ଭାଗ୍ୟବିଧାତା, ମେ ୨୩ରେ ଉତ୍ତର ଦେବେ ମତଦାତା . . .

98

କନକ ବ୍ୟୁରୋ : ରାଜନୀତିରେ ଡବଲ ଇଞ୍ଜିନ୍ ଫର୍ମୁଲା । ରାଜ୍ୟରେ ନିର୍ବାଚନୀ ମାହୋଲ ତଥା ଘଡ଼ିସନ୍ଧି ମୁହୂର୍ତ୍ତ ରେ ଡବଲ ଇଞ୍ଜିନ ଫର୍ମୁଲାକୁ ନେଇ ରାଜନୀତି ଜୋର । କେନ୍ଦ୍ରୀୟ ନେତାମାନେ ଭୋଟରଙ୍କୁ ଡବଲ ଇଞ୍ଜିନ ସରକାରର ମହତ୍ୱ ତଥା ଗୁରୁତ୍ୱ ବୁଝାଇବାରେ ବ୍ୟସ୍ତ । ଅନ୍ୟପଟେ ସିଙ୍ଗିଲ ଇଞ୍ଜିନ, ଡବଲ ଇଞ୍ଜିନ ସରକାର ତୁଳନାରେ ଭଲ ପ୍ରଦର୍ଶନ କରୁଛି ବୋଲି ରାଜ୍ୟରେ ବିଜେଡ଼ି ନେତାମାନେ ଦାବି କରିଆସୁଛନ୍ତି । ଡବଲ ଇଞ୍ଜିନର ଆଳ କରି କେନ୍ଦ୍ରର ଶୀର୍ଷ ନେତାମାନେ ଗୋଟିଚାଳନା କରୁଛନ୍ତି । ଆଉ ତାହାର କଡ଼ା ଜବାବ ଦେଉଛନ୍ତି ବିଜେଡ଼ି ସଭାପତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବଡ଼ ବଡ଼ ନେତାମାନେ ଡବଲ ଇଞ୍ଜିନର ଗୁରୁତ୍ୱ ବିଷୟରେ ଭୋଟରଙ୍କୁ ବୁଝାଉଛନ୍ତି । ଭୋଟ ହାତେଇବା ପାଇଁ ଭୋଟରଙ୍କୁ ପ୍ରଭାବିତ କରାଯିବାର ଚେଷ୍ଟା ହେଉଛି କହିଲେ ମଧ୍ୟ ଅତ୍ୟକ୍ତି ହେବ ନାହିଁ ।

ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର ପର୍ବ । ଗରମ ନିର୍ବାଚନୀ ମାହୋଲ ଭିତରେ ଡବଲ ଇଞ୍ଜିନ ସରକାରକୁ ନେଇ ରାଜ୍ୟରେ ଘମାସାନ ଲଢ଼େଇ ଚାଲିଛି । ବିଜେପି ଅନୁସାରେ ଡବଲ ଇଞ୍ଜିନ ସରକାରରେ ରାଜ୍ୟରେ ଅଧିକ ବିକାଶ ସମ୍ଭବ । ଦେଶରେ ଓ ରାଜ୍ୟରେ ଗୋଟିଏ ସରକାର ହେଲେ ରାଜ୍ୟବାସୀ ଅଧିକ ଉପକୃତ ହୋଇପାରିବେ । ୧୯ ବର୍ଷରେ ରାଜ୍ୟରେ ବିକାଶ ହୋଇନି, ଚଳିତ ଥର ସରକାର ବଦଳିବା ଦରକାର ବୋଲି ବିଜେପି ନେତାମାନେ ବାରମ୍ବାର ସ୍ଲୋଗାନ ଦେଉଛନ୍ତି । ସେପେଟ ବିଜେଡ଼ି ସୁପ୍ରିମୋ ମାରାଥନ ଗସ୍ତ କରି ପୁଣି ଥରେ ଭୋଟରଙ୍କ ମନ ଜିଣିବା ପାଇଁ ଚେଷ୍ଟା କରଛନ୍ତି । ଡବଲ ଇଞ୍ଜିନ କଥା ଉଠାଇ ବାରମ୍ବାର ମୋଦି ସରକାର ଓ ବିଜେପିକୁ ଟାର୍ଗେଟ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏଥର ଡବଲ ଇଞ୍ଜିନ ସରକାର ଲାଇନଚ୍ୟୁନ ହେବ ବୋଲି ବିଜେଡ଼ି ସଭାପତି ଦୃଢ଼ୋକ୍ତି କରୁଛନ୍ତି । ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଗୁଡ଼ିକ ପଛକୁ ଠେଲୁଛନ୍ତି ବୋଲି ବିଜେଡ଼ି ଦାବି କରିଛି ।

ହେଲେ ଡବଲ ଇଞ୍ଜିନ ଓ ସିଙ୍ଗିଲ ଇଞ୍ଜିନ ସରକାରର ଭାଗ୍ୟ ଜନତାଙ୍କ ହାତରେ । ମତଦାତା ମତ ଦେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟରଙ୍କ ହାତରେ ଏବେ ଚାବିକାଠି । ଭୋଟର କାହା ସପକ୍ଷରେ ଚାବି ମୋଡ଼ିବେ ତାହା ମେ ୨୩ରେ ଜଣାପଡ଼ିଯିବ । ରାଜ୍ୟବାସୀ ସିଙ୍ଗିଲ ଇଞ୍ଜିନ ସରକାର ଉପରେ ସନ୍ତୁଷ୍ଟ ନା ଡବଲ ଇଞ୍ଜିନ ସରକାରକୁ ସୁଯୋଗ ଦେବେ ତାହା ସମୟ କହିବ । କାହା ମୁଣ୍ଡରେ ହାତୀ ସୁନାକଳସ ଢ଼ାଳିବ ? ୨୦୧୯ ମହାସମରରେ ଭୋଟର କାହା ସପକ୍ଷରେ ଢ଼ଳିବେ, କିଏ ବାଜିମାତ କରିବ, ସେହି ସମୟକୁ ଅତ୍ୟନ୍ତ ଉତ୍କଣ୍ଠା ସହ ସମେସ୍ତ ଅନେଇ ବସିଛନ୍ତି ।