ସୁମିତ୍ରା ସାହୁଙ୍କ ମୁୁହଁରେ ହସ ଫୁଟାଇବ କିଏ? ସ୍ୱାମୀ ଚାଲିଯିବା ପରେ ୪ଝିଅଙ୍କୁ ନେଇ ଅତି ଦୟନୀୟ ସ୍ଥିତିରେ କଟୁଛି ଦିନ ।

388

କନକ ବ୍ୟୁରୋ : ଦୀପାବଳିରେ ବାଣ ବଦଳରେ ନିରାଶ୍ରୟ ଲୋକଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟନେଇ ଆମେ ଆରମ୍ଭ କରିଛୁ ଏକ ନିଆରା ଅଭିଯାନ-“ବାଣ ନୁହେଁ ହସ ଫୁଟାଇବା’ । ଆମର ଏହି ପ୍ରୟାସ ରହିଛି କିଛି ଅସହାୟ ତଥା ନିରାଶ୍ରୟ ବ୍ୟକ୍ତିଙ୍କ ପାଖରେ ଆମେ ପହଁଚିବୁ ଆଉ ସେହି ମାନଙ୍କ ଦୁଃଖ କାହାଣୀକୁ ଆମେ ସମାଜ ସାମ୍ନାରେ ରଖିବୁ । ଆଉ ଆମର ଏହି ପ୍ରୟାସ ପଛର ଉଦ୍ଦେଶ୍ୟ ହେଉଛି-ଯଦି କୌଣସି ସହୃଦୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଚାହିଁବେ ସହାୟତାର ହାତ ବଢ଼ାଇପାରିବେ ।

ସୁମିତ୍ରା ସାହୁ । ଠିକଣା ଭୁବନେଶ୍ୱର ସାଲିଆ ସାହି । ଚାରି ଚାରୋଟି ଝିଅଙ୍କୁ ନେଇ ନିଜର ଏକ ଛୋଟ ଦୁନିଆ । ଜହ୍ନରେ ଗ୍ରହଣ ଲାଗିଲା ପରି ସୁମିତ୍ରାଙ୍କ ଜୀବନରେ ବି ଦୁଃଖର ଗ୍ରହଣ ଲାଗି ସାରିଛି । ଦୀର୍ଘଦିନ ତଳେ ସ୍ୱାମୀ କ୍ୟାନସର ରୋଗରେ ପୀଡିତ ହୋଇ ଆରପାରିରେ । ପ୍ରଥମେ ସ୍ୱାମୀଙ୍କ ଚିକିତ୍ସା ପାଇଁ ଯାହା କିଛି ଥିଲା ସବୁ ସାରି ଦେଇଛନ୍ତି, ଏବେ ପିଲାଙ୍କ ବୋଝ । ସ୍ୱାମୀଙ୍କ ସନ୍ତକ ରୂପରେ ଏବେ ଚାରି ଚାରି ଝିଅଙ୍କ ଲାଲନ ପାଳନ ଦାୟିତ୍ୱ ସୁମିତ୍ରାଙ୍କ ଉପରେ । ଦିନ ଥିଲା ଘରର ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା । ହସ ଖୁସିରେ ବିତୁଥିଲା ସୁନାର ସଂସାର । ହେଲେ ସ୍ୱାମୀ ଚାଲିଗଲା ପରେ ଘରର ପରିସ୍ଥିତି ପୁରା ବଦଳିଗଲା ।

ଘର ଚଳାଇବା ତ ଦୂରର କଥା ଛୁଆଙ୍କ ମୁହଁରେ ଦାନା ମୁଠାଏ ଦେବା ପାଇଁ ବି ସେ ଅକ୍ଷମ । ଆଉ ଏହି ଅଭାବୀ ପରିସ୍ଥିତି ତାଙ୍କୁ ବାଧ୍ୟ କରିଛିନିଜ ଜନ୍ମକଲା ପିଲାଙ୍କୁ ନିଜଠାରୁ ଦୂରେଇ ଦେବାକୁ । ଦୁଇ ଝିଅଙ୍କୁ ଆଶ୍ରମ ସ୍କୁଲରେ ଛାଡ଼ି ଦେଇଥିବା ବେଳେ ଦୁଇ ଝିଅକୁ ନିଜ ପାଖରେ ରଖିଛନ୍ତି । ଏପଟେ ଭାଗ୍ୟ ଯେମିତି ଦାଉ ସାଧିଲା ଭଳି ସୁମିତ୍ରାଙ୍କୁ ଠିକରେ ଦେଖାଯାଉନି ।

ଆଗକୁ ଆସୁଛି ଖୁସିର ପର୍ବ ଦିପାବଳୀ । କିନ୍ତୁ ଦୁଃଖର ଅନ୍ଧକାରରେ ଜର୍ଜରିତ ହୋଉଥିବା ସୁମିତ୍ରାଙ୍କ ଆଖିରୁ ଝରିପଡୁଥିବା ଏହି ଲୁହ ଜଣାଉଛି ଯେ ଦୁଃଖର ଅସରନ୍ତି ଦୁନିଆ ଭିତରେ ସେ ଏକା ଏକା ଲଢି ଚାଲିଛନ୍ତି । କ୍ୟାମେରା ସମ୍ମୁଖରେ ପୂରୁଣା କଥାକୁ ମନେ ପକାଇ କନ୍ଦି ପକାଉଥିବା ବେଳେ ତାଙ୍କ ପାଟିରୁ ବାହାରି ପଡିଛି ମୋ ପାଇଁ ଦୀପାବଳିର ମାନେ କିଛି ନାହିଁ । ମୋ ଦୁନିଁଆ ତ ଅନ୍ଧକାର ।