ପାକିସ୍ତାନକୁ ଟ୍ରମ୍ପଙ୍କ ଝଟକା । କାଶ୍ମୀର ପ୍ରସଙ୍ଗରେ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ରଖିଲେ ବଡ ବୟାନ୍, ସେପଟେ ଚିହିଁକି ଉଠିଲା ପାକ୍ ।

1,533

କନକ ବ୍ୟୁରୋ : ପାକିସ୍ତାନକୁ ଲାଗିଛି ଟ୍ରମ୍ପ ଝଟକା । କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ସିଧାସିଧା କହିଛନ୍ତି ଏହା ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମାମଲା । ଏହାକୁ ଦୁଇ ଦେଶ ମିଳିତ ଭାବରେ ସମାଧାନ କରିବେ । ଅନ୍ୟପଟେ ଟ୍ରମ୍ପଙ୍କ ସାମ୍ନାରେ ଭାରତର ଆଭିମୁଖ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଥିବା ସବୁ ପ୍ରସଙ୍ଗ ଦ୍ୱିପାକ୍ଷିକ । କୌଣସି ପ୍ରସଙ୍ଗର ସମାଧାନ ପାଇଁ କୌଣସି ତୃତୀୟ ରାଷ୍ଟ୍ରକୁ କଷ୍ଟ ଦେବାକୁ ଚାହିଁବୁ ନାହିଁ । ଜି-୭ ସମ୍ମିଳନୀ ଅବସରରେ ଆଜି ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେଉଁଥିରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ବିଶ୍ୱ ନେତା ।

ସ୍ଥାନ ବଦଳିଲା ଏବଂ ପାତ୍ର ବଦଳିଗଲେ ତ’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବି ବଦଳିଗଲା । କିଛି ଦିନ ପୂର୍ବରୁ ଯେଉଁ ଟ୍ରମ୍ପ, ଭାରତ-ପାକିସ୍ତାନର ମଧ୍ୟସ୍ତତାର କଥା କହୁଥିଲେ, ଆଜି କାଶ୍ମୀର ପ୍ରସଙ୍ଗକୁ ଦ୍ୱିପାକ୍ଷିକ ପ୍ରସଙ୍ଗ କହି ଆପୋସ ବୁଝାବଣାରେ ସମାଧାନର ପରାମର୍ଶ ଦେଇଛନ୍ତି ।

ଫ୍ରାନ୍ସ, ରୁଷ, ଇଂଲଣ୍ଡ ଭଳି ବଡ଼ ବଡ଼ ଦେଶ, ଏମିତି କି ଜାତିସଂଘରୁ ନିରାଶ ହେବା ପରେ ମୋଦି-ଟ୍ରମ୍ପଙ୍କ ଏହି ବୈଠକ ଉପରେ ଆଶା ବାନ୍ଧି ରଖିଥିଲା ପାକିସ୍ତାନ । ହେଲେ, ଟ୍ରମ୍ପଙ୍କ ମୁହଁରୁ ସେହି କଥା ବାହାରିଛି, ଯାହା କ୍ରମାଗତ ଭାବରେ ଭାରତ କହି ଆସୁଛି । କାଶ୍ମୀର, ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ ।

ପ୍ରତି କଥାରେ ଆମେରିକା ପାଖକୁ ଧାଉଁଥିବା ପାକିସ୍ତାନକୁ ସେହି ଆମେରିକାର ରାଷ୍ଟ୍ରପତି ହିଁ ଏମିତି ଏକ ଚୋଟ ଦେଇଛନ୍ତି ଯାହାକୁ ପାକିସ୍ତାନ ନା’ ଦେଖାଇ ପାରିବ ନା’ ଲୁଚାଇ ପାରିବ । କାରଣ ପୁରା ବିଶ୍ୱସମୁଦାୟ ଆଗରେ କାଶ୍ମୀରକୁ ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ କହି ପାକିସ୍ତାନର ମୁହଁ ବନ୍ଦ କରିଦେଇଛନ୍ତି ଟ୍ରମ୍ପ ।

ଆଉ ବଡ କଥା ହେଉଛି, ଟ୍ରମ୍ପଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦି ଦୁନିଆକୁ ବାର୍ତା ଦେଇ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଥିବା ସବୁ ପ୍ରସଙ୍ଗ ଦ୍ୱିପାକ୍ଷିକ । ଆଉ କୌଣସି ପ୍ରସଙ୍ଗର ସମାଧାନ ପାଇଁ କୌଣସି ତୃତୀୟ ରାଷ୍ଟ୍ରକୁ କଷ୍ଟ ଦେବାକୁ ଚାହିଁବୁ ନାହିଁ ।

କିଛି ଦିନ ତଳେ ଏମିତି ଏକ ସାମ୍ବାଦିକ ସମ୍ମିଳନୀ ଆପଣ ଦେଖିଥିବେ । ସେଦିନର ଓ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଭିତରେ ଫରକ୍ କେବଳ ଏତିକି, ଆମେରିକା ରାଷ୍ଟ୍ରପତିଙ୍କ ସାଥିରେ ସେଦିନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଥିଲେ, ଆଉ ଆଜିର ଏହି ସମ୍ମାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏଥିରେ ଟ୍ରମ୍ପ କହିଥିଲେ, ‘ଭାରତ ଓ ପାକିସ୍ତାନ ସହ ମୋର ଭଲ ସଂପର୍କ । ମୁଁ ଆଶା କରୁଛି ଉଭୟ ଦେଶ ସେମାନଙ୍କ ସମାଧାନ ନିଜେ କରିପାରିବେ । ଯାହା ଦୀର୍ଘବର୍ଷ ଧରି କରି ଆସୁଛନ୍ତି । ଗତ ରାତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ କଥା ହୋଇଛି । ସବୁ ନିୟନ୍ତ୍ରଣରେ ରହିଛି । ମୁଁ ଆଶାବାଦୀ ଅଛି, ଭାରତ-ପାକିସ୍ତାନ ପରସ୍ପର କଥା ହୋଇ କିଛି କରିବେ । ଯାହା ଉଭୟ ଦେଶ ପାଇଁ ଭଲ ହେବ ।’

ତେବେ ଟ୍ରମ୍ପଙ୍କ ଏଭଳି ସିଧାସଳଖ ବୟାନ ପରେ ପାକିସ୍ତାନ ପାଖରେ ହୁଏତ ଆଉ କୌଣସି ଚାରା ନାହିଁ । କାରଣ, ବିଶ୍ୱ ସବୁଦାୟର ଦ୍ୱାର ପାକିସ୍ତାନ ସାମ୍ନାରେ ବନ୍ଦ ହୋଇଯାଇଛି । ଆଉ ସେହି ବନ୍ଦ ଦ୍ୱାର ଭିତରେ ବାହୁନି ହେବା ବ୍ୟତୀତ ପାକିସ୍ତାନ ପାଖରେ ଆଉ କୌଣସି ବାଟ ନାହିଁ ।