ଦେଶୀ ଖାଦ୍ୟ ଖାଇବେ ଆମେରିକା ରାଷ୍ଟ୍ରପତି । ଦିଲ୍ଲୀ ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତ୍ତି, ପାରମ୍ପରିକ ସ୍ୱାଗତ ପାଇଁ ପ୍ରସ୍ତୁତି ଜୋରଦାର ।

390

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି । ବିଶ୍ୱର ସବୁଠୁ ଶକ୍ତିଶାଳୀ ନେତାଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଯେତିକି, ସେ କେଉଁଠି ରହିବେ ଓ କଣ ଖାଇବେ, ତାକୁ ନେଇ ଚର୍ଚ୍ଚା ଅଧିକ । ଯଦିଓ ଔପଚାରିକ ଭାବେ କିଛି ସୂଚନା ଦିଆଯାଇନାହିଁ କିନ୍ତୁ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ଅହମ୍ମଦାବାଦ ଓ ଆଗ୍ରା ଗସ୍ତ ପରେ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ରହିବେ ଟ୍ରମ୍ପ ଦମ୍ପତି ।

ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପଙ୍କୁ ଭାରତରେ ଭବ୍ୟ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଉଛି । ଗତ ୮ମାସ ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ଏହା ପଂଚମ ସାକ୍ଷାତ ହେବ । ଟ୍ରମ୍ପ ଦମ୍ପତିଙ୍କ ଗସ୍ତ ପାଇଁ ଆଇଟିସି ମୌର୍ଯ୍ୟ ହୋଟେଲର ଚାଣକ୍ୟ ସୁଟ୍ ବା ପ୍ରେସିଡେନସିଆଲ ସୁଟକୁ ପ୍ରସ୍ତୁତ କରାଯାଉଛି ।

– ବେକରୀ ଖାଦ୍ୟ ସହ ଟ୍ରମ୍ପ ଦମ୍ପତିଙ୍କ ଫଟୋକୁ ନେଇ ପ୍ରସ୍ତୁତ କଳାକୃତି ଦ୍ୱାରା ସ୍ୱାଗତ କରାଯିବ ।
– ଭାରତୀୟ ପରମ୍ପରା ଓ ସଂସ୍କୃତି ଅନୁସାରେ ରାଷ୍ଟ୍ରପତି ଓ ଆମେରିକା ଫାଷ୍ଟ ଲେଡିଙ୍କୁ କରାଯିବ ସ୍ୱାଗତ ।
– ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପଙ୍କ ସ୍ୱାଗତରେ ପ୍ରେସିଡେନସିଆଲ ସୁଟରେ ଅଙ୍କାଯିବ ରଙ୍ଗୋଲୀ ।
– ଫୁଲ ଓ ପରିବେଶ ଅନୁକୂଳ ସାମଗ୍ରୀରେ ପ୍ରସ୍ତୁତ କରାଯିବ ଏକ ହାତୀର ପ୍ରତିକୃତି ।

ଅହମ୍ମଦାବାଦ ଓ ଆଗ୍ରା ଗସ୍ତ ପରେ ସନ୍ଧ୍ୟାରେ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ପହଂଚି ପାରନ୍ତି ଟ୍ରମ୍ପ ଦମ୍ପତି । ଏହାପରେ ଆଇଟିସି ମୌର୍ଯ୍ୟର ବୁଖାରା ରେସ୍ତୁରାଁରେ ରାତ୍ରୀଭୋଜନ କରିବାର ଯୋଜନା ରହିଛି । ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆଙ୍କ ରହଣୀ ସମୟରେ ତାଙ୍କୁ ଛଣା ଖାଦ୍ୟ ବଦଳରେ ବେକଡ ବା ସେକା ଖାଦ୍ୟ ପରସାଯିବ ।

ତେବେ ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ ହେବାକୁ ଥିବା ସ୍ୱତନ୍ତ୍ର ଖାଦ୍ୟ ଥାଳି ବା ଟ୍ରମ୍ପ ପ୍ଲାଟରରେ ତାଙ୍କ ପସନ୍ଦ ମୁତାବକ ଖାଦ୍ୟ ପରସାଯିବାର ପ୍ରସ୍ତୁତି କରାଯାଇଛି । ଏଥିରେ ଭାରତୀୟ ମିଠା ମଧ୍ୟ ସ୍ଥାନ ପାଇପାରେ ।

୪ହଜାର ୬ଶହ ବର୍ଗଫୁଟ୍ ବିଶିଷ୍ଟ ପ୍ରେସିଡେନସିଆଲ ସୁଟର ଦିନକର ଭଡା ପ୍ରାୟ ୮ଲକ୍ଷ ଟଙ୍କା ରହିଛି । ଏହାପୂର୍ବରୁ ଦଲାଇ ଲାମା, ବିଲ୍ କ୍ଳିଂଟନ, ଜର୍ଜ ବୁଶ, ଟୋନୀ ବ୍ଲେୟାର, ଭ୍ଳାଦିମିର ପୁଟିନ, କିଙ୍ଗ ଅବଦୁଲ୍ଲା ଓ ବ୍ରୁନେଇର ରାଜା ମଧ୍ୟ ଆଇଟିସି ମୌର୍ଯ୍ୟ ହୋଟେଲର ପ୍ରେସିଡେନସିଆଲ ସୁଟରେ ରହିସାରିଛନ୍ତି ।