ବ୍ରହ୍ମପରରୁ ଆସିଲା ମହିଳା ନିର୍ଯାତନାର ତିନି କାହାଣୀ । ଏସପିଙ୍କ ନିକଟରେ ଫେରାଦ ହେଲେ ଡାକ୍ତର, ଇଂଜିନିୟର ଏବଂ ସେନା କର୍ମଚାରୀଙ୍କ ପତ୍ନୀ ।

163

କନକ ବ୍ୟୁରୋ: ଘରର ଏରୁଣ୍ଡି ଡେଇଁ ଜଣେ ମହିଳା ସେତେବେଳେ ଅଭିଯୋଗ କରିବାକୁ ଗୋଡ଼ ବାହାରକୁ କାଢ଼ିବାକୁ ସଂକୋଚ କରେ ନାହିଁ, ଯେତେବେଳେ ନିର୍ଯାତନାର ସୀମା ଟପିଯାଏ । ଏଭଳି କିଛି ଘଟଣା ଘଟିଛି ବ୍ରହ୍ମପୁରର ତିନି ଜଣ ମହିଳାଙ୍କ ଉପରେ । ସେମାନଙ୍କର ସ୍ୱାମୀ ଉଚ୍ଚଶିକ୍ଷିତ, ଜଣେ ଡାକ୍ତର, ଜଣେ ଇଂଜିନିୟର ଏବଂ ଆଉ ଜଣେ ସେନାକର୍ମଚାରୀ । ହେଲେ ଶାଶୁଘରେ ସ୍ୱାମୀ, ଶାଶୁ, ଶ୍ୱଶୁର ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ଏସପିଙ୍କ ଫେରାଦ ହୋଇଛନ୍ତି ତିନି ଜଣ ମହିଳା ।

ଏମକେସିଜି ମେଡିକାଲ କଲେଜ ଆନାସ୍ଥାସିଆ ବିଭାଗର ଡାକ୍ତର ଶାନ୍ତିଭୂଷଣ ପାଠୀ ତାଙ୍କ ପତ୍ନୀ ନିବେଦିତା ସାହୁଙ୍କୁ ଅକଥନୀୟ ନିର୍ଯାତନା ଦେଉଛନ୍ତି । ଏପରିକି ପୂରା ପରିବାର ସାମ୍ନାରେ ସ୍ୱାମୀ ବସ-ଉଠ କରାନ୍ତି ବୋଲି ଅଭିଯୋଗ କରିଛନ୍ତି ନିବେଦିତା । ଅନ୍ୟ ଜଣେ ପୀଡିତା ୱାଇ ଅନସୂୟା କହିଛନ୍ତି ଗୋଳାବନ୍ଧରେ ସେନା କ୍ଲର୍କ ଭାବେ କାମ କରୁଥିବା ତାଙ୍କ ସ୍ୱାମୀ ୱାଇ. ରମେଶ ବିବାହ ଦିନରୁ ଯୌତୁକ ନିର୍ଯାତନା ଦେଇ ଆସୁଛନ୍ତି । ସେହିଭଳି ଅନ୍ୟ ଜଣେ ଇଂଜିନିୟରଙ୍କ ପତ୍ନୀ ପ୍ରିୟତମା ମହାନ୍ତି କହିଛନ୍ତି, ତାଙ୍କ ଗର୍ଭରେ କନ୍ୟା ସନ୍ତାନ ଥିବା ଜାଣିବା ଦିନରୁ ପର କରି ଦେଇଛନ୍ତି ସ୍ୱାମୀ ଚିନ୍ମୟ ଦାସ ।

ପୀଡିତାଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଘଟଣାର ତର୍ଜମା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ପିନାକ ମିଶ୍ର ।