ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ ଚିନ୍ତାରେ ସରକାର ! କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଲେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଓ ଅଶୌଧିତ ତୈଳ ଦର ବୃଦ୍ଧିର କାରଣ ।

45

କନକ ବ୍ୟୁରୋ : ହୁ ହୁ ବଢ଼ୁଛି ପେଟ୍ରୋଲ ଦର । ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଏନେଇ ବିରୋଧି ସରକାରଙ୍କୁ ଘେରିଛନ୍ତି । ସେପଟେ ଏନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲଗାତାର ଭାବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଉଥିବାରୁ ଓ ଅଶୌଧିତ ତୈଳର ଦାମ ବୃଦ୍ଧି ପାଉଥିବାରୁ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାର ଏନେଇ ଚିନ୍ତିତ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତ ସପ୍ତାହରୁ ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ଆଜି ମଧ୍ୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି ।

ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୮ଟଙ୍କା ୬୮ ପଇସା ଓ ଡିଜେଲ ଦର ୭୦ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି । ସେପଟେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୮୧ଟଙ୍କା ୬୦ ପଇସା ଓ ଡିଜେଲ ୭୩ ଟଙ୍କା ୨୭ ପଇସା ବୃଦ୍ଧି ହୋଇଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୮୧ଟଙ୍କା ୭୫ ପଇସା ଓ ଡିଜେଲ ୭୪ଟଙ୍କା ୪୬ ପଇସାକୁ ବୃଦ୍ଧି ପାଇଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ପିଛା ୮୧ଟଙ୍କା ୭୫ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୭୪ ଟଙ୍କା ୪୧ ପଇସାକୁ ବୃଦ୍ଧି ପାଇଛି । ଦିଲ୍ଲୀରେ ଡିଜେଲ ଦର ପ୍ରତି ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ୧୬ ପଇସାକୁ ବୃଦ୍ଧି ପାଇଛି । ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ୨୧ କୁ ବୃଦ୍ଧି ପାଇଛି ।