ଆନ୍ଦୋଳନ ପଛ, ଜୀବନ ଆଗ । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା, ଆନ୍ଦୋଳନରୁ ଉଠିଆସି ମହିଳାଙ୍କ ଜୀବନ ବଞ୍ଚାଇଲେ ଡାକ୍ତର ।

241

ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଏବେ ପୂରା ଦେଶକୁ ବ୍ୟାପିଛି । କନିଷ୍ଠ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଥମିବାର ନାଁ ନେଉନାହିଁ । ଆଉ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷମା ମାଗିବା ପରେ ଯାଇ ଡ଼ାକ୍ତରମାନେ କାର୍ଯ୍ୟକୁ ଫେରିବେ ବୋଲି ସର୍ତ୍ତ ରଖିଛନ୍ତି । ତେବେ ଗତକାଲି ଡ଼ାକ୍ତରଙ୍କ ଅନୁପସ୍ଥିତି ପାଇଁ ଜଣେ ନବଜାତର ଜୀବନ ଚାଲି ଯାଇଥିବା ବେଳେ ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ କିଛି ଲୋକ ଡାକ୍ତରଙ୍କ ଏହି ଆନ୍ଦୋଳନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଏଭଳି ସ୍ଥଳେ ଆଜି ଜଣେ ଆନ୍ଦୋଳନରତ ଡାକ୍ତରଙ୍କ ପାଇଁ ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡିଛି । ଶୁକ୍ରବାର ଆନ୍ଦୋଳନରେ ବସିଥିବା ଡ଼ାକ୍ତର ଧାରଣା ଛାଡ଼ି ଜଣେ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି । ମହିଳାଙ୍କ ପ୍ରସବ ଯନ୍ତ୍ରଣା ଶେଷ ସୀମାରେ ପହଞ୍ଚିଥିବା ବେଳେ ଡ଼ାକ୍ତରଙ୍କୁ ଏ ନେଇ ସୂଚନା ମିଳିଥିଲା, ଯାହା ପରେ ସେ ତୁରନ୍ତ ଆସି ପ୍ରସବ କରାଇଥିଲେ । ଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା । ଏହାପୂର୍ବରୁ ଆନ୍ଦୋଳନ ସମୟରେ କେବଳ ଜରୁରୀକାଳୀନ ଚିକିତ୍ସା କରିବା ପାଇଁ ଘୋଷଣା କରିଥିଲେ ଡାକ୍ତରୀ ସଂଘ ।

ଏହାପୂର୍ବରୁ ଗତ ୧୩ ତାରିଖରେ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ଜଣେ ନବଜାତକ ଶିଶୁ ପ୍ରାଣ ହରାଇଥିଲେ । ଜୁନ୍ ୧୧ରେ ନବଜାତ ଜନ୍ମ ହେବା ପରେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଥିଲା । ଜୁନ୍ ୧୨ରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡ଼ାକ୍ତର ଶିଶୁ ବିଶେଷଜ୍ଞଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ କେହି ବି ଡ଼ାକ୍ତର ନଥିବାରୁ ଶିଶୁକୁ ଡ଼ାକ୍ତରଖାନାରେ ଭର୍ତ୍ତି କରା ଯାଇ ନଥିଲା । ଯାହା ପାଇଁ ଚିକିତ୍ସା ଅଭାବରୁ ଜୁନ୍ ୧୩ରେ ଶିଶୁଟି ମୃତ୍ୟୁବରଣ କରିଥିଲା ।