କରୋନାରେ ଆକ୍ରାନ୍ତ ହେଉଛନ୍ତି ଡାକ୍ତର । ଦିଲ୍ଲୀରେ ୭୨ଜଣ ଡାକ୍ତର କରୋନା ପଜିଟିଭ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀ ଆକ୍ରାନ୍ତ ।

133

କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପଜିଟିଭ୍ ହୋଇଥିବା ଖବର ଚିନ୍ତାକୁ ଦ୍ୱିଗୁଣିତ କରିଛି । କାରଣ, ଅଧିକାଂଶ ଡାକ୍ତର କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ସତ୍ତେ୍ୱ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କେବଳ ଦିଲ୍ଲୀରେ ୭୨ରୁ ଅଧିକ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ ଏମ୍ସରେ ୩୫ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂକ୍ରମିତ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କରୋନା ଟିକାର ଦୁଇଟିଯାକ ଡୋଜ ନେଇଥିବା କୁହାଯାଉଛି ।

ଏହା ପୂର୍ବରୁ ଦିଲ୍ଲୀର ଗଙ୍ଗାରାମ ହସପିଟାଲରେ ୩୭ଜଣ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିଲେ । ୩୨ଜଣ ହୋମ ଆଇସୋଲେସନରେ ଥିବା ବେଳେ ୫ଜଣ ଡାକ୍ତର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରି୍ୱାଲ ଏହାକୁ ଗୁରୁତର ସହ ନେଇ ବୈଠକ ଡକାଇଛନ୍ତି । ସେହିପରି ଗତ କିଛି ଦିନ ମଧ୍ୟରେ ଉତ୍ତରପ୍ରଦେଶରେ ପ୍ରାୟ ୪୦ ଡାକ୍ତର କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବିହାରରେ ମଧ୍ୟ ୨୬ରୁ ଅଧିକ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଏପଟେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଜଣେ ଡାକ୍ତର ଓ ଜଣେ କର୍ମଚାରୀ କରୋନା ପଜିଟିଭ୍ ହୋଇଥିବା ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ଗୋଟିଏ ପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି, ଅନ୍ୟପଟେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନାରେ ସଂକ୍ରମିତ ହେବା ଅଧିକ ଚିନ୍ତାଜନକ ହୋଇଛି ।