ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଡାକ୍ତର ଓ ଏଏସଓ । କୋଭିଡ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେଲା ବିଏମସି

98

କନକ ବ୍ୟୁରୋ : ଏବେ ବିଏମସି କୋଭିଡ଼୍ ସେଲରୁ ଫେରିଯିବେ ଅଣ ବିଏମସି ଅଧିକାରୀ ଓ କର୍ମଚାରୀ । କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ର ସ୍ଥିତିକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ । ଭିନ୍ନ ଭିନ୍ନ ସମୟରେ ଆବଶ୍ୟକ ଅନୁସାରେ ରାଜ୍ୟ ସରକାର ବିଏମସି କୋଭିଡ଼୍ ସେଲକୁ ଆସିଥିଲେ ଅଧିକାରୀ ଓ କର୍ମଚାରୀ ଗଣ । ଏମାନଙ୍କ ମଧ୍ୟରେ ମୁଖ୍ୟତଃ ଡ଼ାକ୍ତର ଏବଂ ଆସିଷ୍ଟାଣ୍ଟସେକ୍ସନ୍ ଅଫିସରଙ୍କ ସଂଖ୍ୟା ଅଧିକ ।

ବର୍ତମାନ ସ୍ଥିତିରେ ଶେଷ ପର୍ଯ୍ୟାୟରେ ଥିବା ୧୦ ଜଣ ଡ଼ାକ୍ତର ଏବଂ ୧୫ ଜଣ ଏଏସଓ ମାନଙ୍କ ମଧ୍ୟରୁ ସମସ୍ତ ଏଏସଓଙ୍କୁ ରିଲିଭ୍ କରାଯାଇଥିବା ବେଳେ ଆଉ ୬ ଜଣ ଡ଼ାକ୍ତରଙ୍କୁ ଜାନୁୟାରୀ-୨୧ ଶେଷ ସୁଧା ରିଲିଭ୍ କରାଯିବ ଏବଂ କେବଳ ୪ ଜଣ ଡ଼ାକ୍ତର ଜରୁରୀ କଂଟାକ୍ଟ ଟ୍ରେସିଂ ଇତ୍ୟାଦି ପାଇଁ ନିୟୋଜିତ ରହିବେ ବୋଲି କହିଛନ୍ତି ବିଏମସି କୋଭିଡ଼୍ ସେଲ୍ ର ମୁଖ୍ୟ ତଥା ଡ଼େପୁଟି କମିଶନର ହେଲଥ ଏବଂ ସାନିଟେସନ୍ ଶୁଭେନ୍ଦୁ କୁମାର ସାହୁ ।

ସୂଚନାଯୋଗ୍ୟ କି, ଭୁବନେଶ୍ୱର ମହାନଗର ନିଗମାଂଚଳରେ କୋଭିଡ଼୍ ସଂକ୍ରମଣ ସ୍ଥିତି କ୍ରମଶଃ କମିଆସିଛି ଏବଂ ସଂକ୍ରମଣ ଏକକ ସଂଖ୍ୟାରେ ସୀମିତ ରହିଅଛି । ୨୨ ଜାନୁୟାରୀରେ ୫ ଜଣ, ୨୩ ଜାନୁୟାରୀରେ ୫ ଜଣ, ୨୪ ଜାନୁୟାରୀରୁ ୨୭ ଜାନୁୟାରୀ ପର୍ଯ୍ୟନ୍ତ ୪ ଜଣ ଲେଖାଏଁ ଏବଂ ୨୮ ଜାନୁୟାରୀରେ ୮ ଜଣ ରହିଥିବାର ଜଣାପଡ଼ିଛି । ତେବେ ଧିରେ ଧିରେ ସଂକ୍ରମଣ କମିବାରୁ ଅଣ ବିଏମସି କର୍ମଚାରୀଙ୍କୁ ଫେରାଇ ଦିଆଯାଇଛି ।