ରୋଗୀ ମୃତ୍ୟୁ ପରେ ଡାକ୍ତରଙ୍କ ଆତ୍ମହତ୍ୟା ଉଦ୍ୟମ ! ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ପରେ ପୁଲିସ ସମ୍ମୁଖରେ ନିଜ ତଣ୍ଟି କାଟିଲେ ଡାକ୍ତର ।

50

କନକ ବ୍ୟୁରୋ : ବରଗଡ଼ରେ ଅଭାବନୀୟ ଘଟଣା  । ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଡାକ୍ତର । ଦାନ୍ତ ବିନ୍ଧାର ଚିକିତ୍ସା ପାଇଁ ଡାକ୍ତରଙ୍କ ନିକଟକୁ ଆସିଥିବା ବେଳେ ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଡାକ୍ତର ନିଜ କ୍ଲିନିକରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି  ।

ବରଗଡ ବନବାସପାଲି ଗାଁର ଲବଙ୍ଗ ସାହୁ । ଆସିଥିଲେ ଦାନ୍ତ ଦରଜର ଚିକିତ୍ସା ପାଇଁ ହେଲେ ଚାଲିଗଲା ଜୀବନ । ଦାନ୍ତ ବିନ୍ଧିବାରୁ ପୁଅ ସହ ବରଗଡର ଡାକ୍ତର ସୁବୋଧ ସାହୁଙ୍କ କ୍ଲିନିକକୁ ଚିକିତ୍ସା ପାଇଁ ଆସିଥିଲେ ଲବଙ୍ଗ । ତେବେ ଦାନ୍ତମୂଳରେ ଡାକ୍ତର ଇଂଜେକ୍ସନ ଦେବାର କିଛି ସମୟ ପରେ ସେ ଅଚେତ ହୋଇ ପଡିଥିଲେ । ଖବର ପାଇ ସମ୍ପର୍କୀୟ ଲବଙ୍ଗଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ନିଶ୍ଚେତକ ଇଂଜେକ୍ସନର ଭୁଲ ମାତ୍ରା ଯୋଗୁଁ ଲବଙ୍ଗଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ।

ସେପଟେ ରୋଗୀର ମୃତ୍ୟୁ ପରେ ଛାନିଆ ହୋଇପଡିଥିଲେ ଡାକ୍ତର ସୁବୋଧ ସାହୁ । ଏବଂ ନିଜ କ୍ଲିନିକରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଖବର ପାଇ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପରେ ସୁବୋଧଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ବରଗଡ ବାନ୍ଦୁଟିକ୍ରା ଅଂଚଳର ସୁବୋଧ ସାହୁ ଅଲଟର୍ ନେଟିଭ୍ ମେଡିସିନର ସ୍ନାତକ ପଢିଥିବା ତାଙ୍କ ସାର୍ଟିଫିକେଟରେ ଉଲ୍ଲେଖ ରହିଛି । ତେବେ ଦେଶର ବିଭିନ୍ନ ରାଜ୍ୟରେ ଏହି କୋର୍ସ ଏବଂ ସାର୍ଟିଫିକେଟର ବୈଧତା ନେଇ ଏକାଧିକ ମାମଲା ରହିଛି । ଏପରିକି ଏହି ସାର୍ଟିଫିକେଟକୁ ଅବୈଧ ମଧ୍ୟ ଘୋଷଣା ହୋଇଛି । ଏଭଳି କୋର୍ସ କରି ଗାଁ ଗହଳିରେ ବହୁ ବ୍ୟକ୍ତି ନିଜକୁ ଡାକ୍ତର ଭାବେ ଘୋଷଣା କରି ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ନଜିର ନୂଆ ନୁହେଁ ।