ଆଜି ଆଲୋକର ପର୍ବ ଦୀପାବଳି : ଘରେ ଘରେ ଖୁସିର ମାହୋଲ୍

95

କନକ ବ୍ୟୁରୋ : ଆଜି ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି । ଅସତ୍ୟ ଉପରେ ସତ୍ୟର, ଅନ୍ଧାର ଉପରେ ଆଲୋକର ବିଜୟ ସୂଚକ ଦୀପାବଳି ଲାଗି ଗାଁରୁ ସହର ସବୁଠି ଉତ୍ସବର ମାହୋଲ । ଆଲୋକର ପର୍ବ ଦୀପାବଳି ନେଇ ସାରାଦେଶ ଓ ରାଜ୍ୟରେ ଖୁସିର ମାହୋଲ । ସବୁଠି ଆନନ୍ଦ ଓ ଉଲ୍ଲାସ । ଘରେ ଘରେ ଚାଲିଛି ପ୍ରସ୍ତୁତି ।

ଓଡିଆ ଘରେ ପୟାଶ୍ରାଦ୍ଧ ଦିଆଯିବା ସହ ସଂଧ୍ୟାରେ ବଡବଡୁଆ ଡାକ ପାଇଁ ଉତ୍କଣ୍ଠା । ଘରେ ଘରେ ପିଠା ପଣା ସହ ମିଠା ଓ ଅନ୍ୟାନ୍ୟ ଉପହାର ବଂଟା ମଧ୍ୟ ହୋଇଥାଏ । ସଂଧ୍ୟାରେ ଦୀପ ଜାଳି ବାଣ ଫୁଟାଇବା ପରେ ଶେଷ ହୋଇଥାଏ ଦୀପାବଳି । ଏହି ଦିନ ଦୋକାନ ମାନଙ୍କରେ ନୂଆ ଖାତା ପୂଜା ହୋଇଥାଏ । ସେଥିପାଇଁ ବଜାର ଘାଟ ସବୁଠି ଆଲୋକର ତୋରଣରେ ସଜେଇ ହୋଇଛି ।

ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ପୁରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡବଡିଆ ଡାକିଛନ୍ତି । ମହାଳୟା ତିଥିରେ ପିତୃପୁରୁଷଙ୍କ ଆବହ୍ନ କରି ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ ।

ସେଥିପାଇଁ କାର୍ତିକ ମାସର ଦୀପାବଳିରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି । ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ କଲେ ପିତୃଗଣଙ୍କୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ଦୀପାବଳି ତିଥିରେ ପୟାଶ୍ରାଦ୍ଧ କରିବା ପାଇଁ ବହୁ ଭକ୍ତ ଛୁଟି ଆସିଥାନ୍ତି ଶ୍ରୀମନ୍ଦିରର ବାଇଶି ପାହାଚକୁ ।