ମୃତ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଘରେ ପୋଲିସ ଟିମ୍ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ।

ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ସିପିଙ୍କୁ ଫେରାଦ ହେଲା ବିଜେପି 

76

କନକ ବ୍ୟୁରୋ: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ରହସ୍ୟଘେରରେ ଛନ୍ଦି ହୋଇ ଯାଇଥିବା ବେଳେ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ଧର୍ମେନ୍ଦ୍ରଙ୍କ ମୃତ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।  ଶନିବାର ଦିନ ଧର୍ମେନ୍ଦ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କମିସନରେଟ୍ ପୁଲିସର ଏକ ୫ଜଣିଆ ଟିମ୍ ମାମଲାର ତଦନ୍ତ କରୁଛି । ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ତଦନ୍ତ କରିବା ସହ ପତ୍ନୀ, ପରିବାର ଓ ରୋଷେୟାଙ୍କୁ ପଚରାଉଚରା କରିଛି ପୁଲିସ । ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ଦୁଇଟି ମୋବାଇଲକୁ ଫରେନସିକ୍ ଲ୍ୟାବକୁ ପଠାଇଛି ପୋଲିସ ।

ସେପଟେ ଏହି ମାମଲାକୁ ନେଇ ତେଜୁଛି ରାଜନୀତି । ବିରୋଧୀଙ୍କ ପକ୍ଷରୁ ହଙ୍ଗାମା ପରେ ମନ୍ତ୍ରୀ ସମୀର ଦାସଙ୍କ ସରକାରୀ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁତୟନ ହୋଇଛନ୍ତି ପୋଲିସ ଫୋର୍ସ । ସେପଟେ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆସୁଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପୁଲିସ କମିସନରଙ୍କୁ ଭେଟି ଦାବି କରିଛନ୍ତି ବିଜେପି ପ୍ରତିନିଧି ଦଳ ।

ଅନ୍ୟପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଜିଲ୍ଲା ପରିଷଦ ସଭ୍ୟଙ୍କ ମୃତ୍ୟୁରେ ସେ ଦୁଃଖିତ । ବିରୋଧୀ ଦଳ କଣ କହୁଛନ୍ତି ତାର ଉତ୍ତର ଦେବାକୁ ସେ ଉଚିତ ମନେ କରୁନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ରାଜନୀତି ତେଜୁଥିବା ବେଳେ ନୂଆ ନୂଆ ଦିଗ ସାମନାକୁ ଆସୁଛି । ତେଣୁ ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦାବି ଜୋର ଧରୁଛି ।