ପଦ୍ମପୁରରେ ଭୋଟ୍ ବେଳେ ଚାଲିଛି ଟଙ୍କା ବଣ୍ଟା । ଟଙ୍କା ବଣ୍ଟାକୁ ନେଇ ପୁରେନା ଗାଁରେ ଉତ୍ତେଜନା ।

157

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ପାଇଁ ଗୋଟିଏ ପଟେ ଭୋଟିଂ ଜାରି ରହିଛି । ଅନ୍ୟପଟେ ଭୋଟ ପାଇଁ ଭୋଟରଙ୍କୁ ଟଙ୍କା ବଣ୍ଟା ଯାଉଛି । ପଦ୍ମପୁର ବ୍ଲକ ପୁରେନା ପଞ୍ଚାୟତ ବଗାଇଜୋରି ଗାଁରୁ ଆସିଛି ଏହି ଅଭିଯୋଗ । ବଗାଇଜୋରି ଗାଁର ୧୮୯ ନମ୍ବର ୱାର୍ଡର ବାସିନ୍ଦାଙ୍କୁ ଟଙ୍କା ବଣ୍ଟାଯାଇଥିବା ଅଭିଯୋଗ ହୋଇଛି । ଆଉ ଏହାକୁ ସାହିର କିଛି ଲୋକ ବିରୋଧ କରିବାରୁ ଉତେଜନା ସୃଷ୍ଟି ହୋଇଛି । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ପ୍ରଥମେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଛି । ଏହାପରେ ଅଣ୍ଡର ଟେକିଂ ଲେଖାଇ ଛାଡି ଦେଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ମକପୋଲ ସମୟରେ ୪ଟି ବୁଥରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚାରୋଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ ଗ୍ରହଣ ପ୍ରକ୍ରିୟା । ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ପଦ୍ମପୁର ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକରେ ଲାଗିଛି ଭିଡ । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଅପରାହ୍ନ୍ଣ ୪ଟା ଯାଏଁ ଏହି ଭୋଟ ଗ୍ରହଣ ଚାଲିବ । ମତଦାନ କେନ୍ଦ୍ର ଗୁଡିକରେ ଭିଡ ବଢିବାରେ ଲାଗିଛି । ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।