କନକ ବ୍ୟୁରୋ : ମଣିପୁରରେ ୨ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ନାରକୀୟ କାଣ୍ଡର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପହଂଚିଛି । ସରକାର ଓ ବିରୋଧୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । କିନ୍ତୁ ଏହାରି ଭିତରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ମାଆ ବଡ଼ ବୟାନ ଦେଇଛନ୍ତି ।

Advertisment

ମଣିପୁରରେ ଆଜି ଯେଉଁ ହିଂସା ଘଟିଛି, ସେଥିପାଇଁ କେବଳ ରାଜ୍ୟ ସରକାର ଦାୟୀ ବୋଲି ମହିଳା ଜଣକ କହିଛନ୍ତି । ଏହାସହ କିପରି ନିଜ ଆଖି ଆଗରେ ନିଜ ସ୍ୱାମୀ ଓ ପୁଅକୁ ବିଭତ୍ସ ଭାବେ ହତ୍ୟା କରାଗଲା, ତାହା ବର୍ଣ୍ଣନା କରିଛନ୍ତି । ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୀଡ଼ିତାଙ୍କ ମାଆ ଏପରି କଥା କହିଛନ୍ତି । କହିଛନ୍ତି ଯେ ଭିଡ଼ ଭିତରେ ନିଜ ଘରକୁ ଜାଳି ପୋଡ଼ି ପାଉଁଶ କରି ଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରିଦିଆ ଗଲା । ଆଖି ଆଗରେ ସ୍ୱାମୀ ଓ ପୁଅକୁ ହତ୍ୟା କରିଦେଲେ । ପୁଣି ନିଜ ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି ।

ଆଗକୁ ନିଜର ଏବଂ ନିଜ ପରିବାରର ଭବିଷ୍ୟତ କ’ଣ ହେବ, ତାହା ସେ ଜାଣନ୍ତି ନାହିଁ । କିନ୍ତୁ ଗୋଟିଏ କଥା କହିଛନ୍ତି ଯେ ଏତେ ସବୁ ଘଟିଗଲା ପରେ ସେ ଆଉ ନିଜ ଗାଁକୁ ଫେରିପାରିବେ ନାହିଁ । ଆଜି ମଣିପୁରରେ ଯେଉଁ ହିଂସା ଲାଗିରହିଛି, ସେଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ପୀଡ଼ିତାଙ୍କ ମାଆ କହିଛନ୍ତି । ସେପଟେ ଘଟଣା ପରେ ତତ୍ପରତା ଦେଖାଇଛି ମଣିପୁର ସରକାର । ଘଟଣାରେ ଏପର୍ଯ୍ୟନ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କୁ ୧୧ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ସେହିପରି ଅନ୍ୟ ୮ଜଣ ଅଭିଯୁକ୍ତଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇସାରିଛି ।