ବିଧାନସଭା ଅଧିବେଶନ ଆଗରୁ ଅସନ୍ତୋଷ । ସର୍ବଦଳୀୟ ବୈଠକକୁ ବର୍ଜନ କଲା ବିଜେପି

78

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନ ପାଇଁ ଆଜି ବସିଥିଲା ସର୍ବଦଳୀୟ ବୈଠକ କିନ୍ତୁ ଅଧିବେଶନ ପୂର୍ବରୁ ବସିଥିବା ଏହି ବୈଠକରେ ଦେଖିବାକୁ ମିଳିଛି ଅସନ୍ତୋଷ । ଗୃହ କିଭଳି ସୁରୁଖୁରରେ ଚାଲିବ ସେନେଇ ବୈଠକ ବସିଥିଲେ ବି ଏହାକୁ ବର୍ଜନ କରିଛି ବିଜେପି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ଦେଖି ଗୃହ କେମିତି ସ୍ୱାଭାବିକ ଭାବେ ଚାଲିବ ତାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

ରାଜ୍ୟପାଳଙ୍କ ଅଭିଭାଷଣ ଓ ପ୍ରଶ୍ନକାଳରେ ହୋଇପାରିବନି ହୋ ହଲ୍ଲା । ହଟ୍ଟଗୋଳ କଲେ ଆଇନ ଅନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ମଙ୍ଗଳବାର ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେସନ ପାଇଁ ଏମିତି ନିର୍ଦ୍ଦେଶ ଜାରି କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

  • ବାଚସ୍ପତିଙ୍କ ନିୟମ ବନାମ ବିରୋଧୀଙ୍କ ଆଭିମୁଖ୍ୟ?
  • ଗୃହ ସ୍ୱାଭାବିକ ହେବ ନା ଚାଲିବ ହଟ୍ଟଗୋଳ?

ବାଚସ୍ପତିଙ୍କ ତାଗିଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବାଚସ୍ପତି ଯଦି ନିରପେକ୍ଷ ନିଷ୍ପତି ନିିଅନ୍ତି ତେବେ ଗୃହ ସ୍ୱାଭାବିକ ହୋଇପାରିବ ବୋଲି କହିଛନ୍ତି । ହେଲେ ଅନୁମାନ କରାଯାଉଛି, ଆରମ୍ଭରୁ ଗୃହରେ ହେବ ହଟ୍ଟଗୋଳ । ଯାହାକୁ ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ । ବିଧାନସଭା ଆରମ୍ଭ ପୂର୍ବରୁ ବିରୋଧୀଙ୍କ ଆଭିମୂଖ୍ୟ କିଛି ଅଲଗା କଥା ବୟାନ କରୁଛି । କାରଣ ଗୃହକୁ ସୂଚାରୁ ରୂପେ ଚଳାଇବା ପାଇଁ ସୋମବାର ବସିଥିବା ସର୍ବଦଳୀୟ ବୈଠକକୁ ବର୍ଜନ କରିଛି ବିଜେପି । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅସୁସ୍ଥତା ଯୋଗୁ ଅନ୍ୟ ଦୁଇ ବିଧାୟକଙ୍କୁ ବୈଠକକୁ ଅନୁମତି ଦାବୀରେ ବିଜେପି ବିଧାୟକ ଦଳ ଉପ-ନେତା ବିଷ୍ଣୁ ସେଠୀ ବୈଠକ ଆରମ୍ଭରୁ କକ୍ଷତ୍ୟାଗ କରିଛନ୍ତି ।

ମମିତା ମେହେର ହତ୍ୟା ଘଟଣାରେ ପୂର୍ବରୁ କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଧାନସଭାରେ ପୁରାଇଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି । ତେଣୁ ଗୃହରେ ମମିତା ହତ୍ୟାକାଣ୍ଡ ତାତିକୁ ପ୍ରଶମିତ କରିବା ପାଇଁ ବିଜେଡି ମଧ୍ୟ ରଣନୀତି ପ୍ରସ୍ତୁତ କରିଛି । ରନ୍ଧନ ଗ୍ୟାସ ମୁଲ୍ୟ ବୃଦ୍ଧି ସହ ଉଷୁନା ଚାଉଳ, ନରେଗା ଟଙ୍କା ଆଦିକୁ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଘେରିବାକୁ ଯୋଜନା କରିଛି ଦଳ ।