ସଂପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର । ଦୁଇ ବର୍ଷ ହେଲା ଟାଳି ଚାଲିଛନ୍ତି ରାଜ୍ୟର ଆଇଏଏସ ଅଧିକାରୀ

155

କନକ ବ୍ୟୁରୋ: ଦୁର୍ନୀତି କମାଇବା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସରକାରୀ କର୍ମଚାରୀଙ୍କୁ ଏଣିକି ସେମାନଙ୍କ ବାର୍ଷିକ ସମ୍ପତ୍ତିର ବିବରଣୀ ସର୍ବସାଧାରଣରେ ପ୍ରଦର୍ଶନ କରିବାକୁ ହେବ ବୋଲି ଦୁଇ ବର୍ଷ ତଳେ ଘୋଷଣା କରିଥିଲେ । ଲୋକାୟୁକ୍ତ ଆଇନ ଅନୁସାରେ ଏହି ତାଲିକା ଓଡ଼ିଶା ଲୋକାୟୁକ୍ତଙ୍କୁ ବି ଦିଆଯିବ । ଦୁଇ ବର୍ଷ ତଳର ଏହି ଘୋଷଣା ପରେ ଏବେ ସବୁ କର୍ମଚାରୀଙ୍କ ଉଭୟ ଅଚଳ ଓ ସଚଳ ସଂପତ୍ତି ତାଲିକା ସାଧାରଣ ପ୍ରଶାସନ ବିଭାଗର ଏଚଆରଏମସ ପୋର୍ଟାଲରେ ଉପଲବ୍ଧ ହେଲାଣି । ମାତ୍ର ଏପର୍ଯ୍ୟନ୍ତ ଆଇଏଏସ ଅଫିସରମାନେ ସେମାନଙ୍କ ସଂପତ୍ତି ତାଲିକା କାହିଁକି ଅପଲୋଡ କରୁନାହାନ୍ତି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

  • କେତେ ସମ୍ପତ୍ତିର ଅଧିକାରୀ ଆଇଏଏସ ଅଫିସର?
  • କେବେ ସର୍ବସାଧାରଣ ହେବ ସମ୍ପତ୍ତି ତାଲିକା?

ରାଜ୍ୟରୁ ଦୁର୍ନୀତି କମାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସରକାରୀ କର୍ମଚାରୀ ଏଣିକି ପ୍ରତି ବର୍ଷ ସଂପତ୍ତି ତାଲିକା ଦାଖଲ କରିବେ ଓ ତାହା ସର୍ବସାଧାରଣରେ ବା ପବ୍ଲିକ ଡୋମେନରେ ଅପଲୋଡ କରାଯିବ ବୋଲି ୨୦୨୦ରେ ଘୋଷଣା କରିଥିଲେ । ଇତିମଧ୍ୟରେ ୨ ବର୍ଷରୁ ଅଧିକ ସମୟ ବିତି ଯାଇଛି । କିନ୍ତୁ ଆଇଏଏସ ଅଫିସର ମାନେ ଏପର୍ଯ୍ୟନ୍ତ ସେମାନଙ୍କର ଉଭୟ ଅଚଳ ଓ ସଚଳ ସମ୍ପତି ତାଲିକା ସର୍ବସାଧାରଣରେ ଅପଲୋଡ କରିନାହାନ୍ତି ।

ବିଳମ୍ବରେ ହେଲେ ବି ରାଜ୍ୟର ପ୍ରାୟ ସବୁ ବର୍ଗର କର୍ମଚାରୀ ସେମାନଙ୍କର ଉଭୟ ଅଚଳ ଓ ସଚଳ ସଂପତ୍ତି ତାଲିକା ସାଧାରଣ ପ୍ରଶାସନ ବିଭାଗର ଏଚଆରଏମଏସ ପୋର୍ଟାଲରେ ଅପଲୋଡ କଲେଣି । ଗୋଟିଏ କ୍ଲିକରେ ଯେକୌଣସି କର୍ମଚାରୀଙ୍କର ସଂପତି ପରିମାଣ ଜାଣିହେବ । ହେଲେ ଏପର୍ଯ୍ୟନ୍ତ ଆଇଏଏସ ଅଫିସରମାନେ ବିଭିନ୍ନ ବାହାନା ନେଇ ସେମାନଙ୍କର ସଂପତ୍ତି ତାଲିକା ଅପଲୋଡ କରିନାହାନ୍ତି ।

ବହୁ ପୂର୍ବରୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟର ୱେବସାଇଟରେ ଆଇଏଏସ୍ ଅଫିସରମାନେ କେବଳ ସେମାନଙ୍କ ଅଚଳ ସଂପତ୍ତି ତାଲିକା ଅପଲୋଡ କରୁଥିବା ଦେଖାଯାଉଛି । ୱେବସାଇଟରେ ଏହାକୁ ଯେକୌଣସି ଲୋକ ଦେଖିପାରିବେ । ମାତ୍ର ଏଥିରେ ସଚଳ ସଂପତ୍ତି ତାଲିକା ମିଳେ ନାହିଁ । ତେବେ ପଶ୍ଚିମବଙ୍ଗରେ ଆଇଏଏସ ଅଫିସରଙ୍କ ପାଇଁ ଦୁଇଟି ଫର୍ମରେ ଅଚଳ ଓ ସଚଳ ସଂପତ୍ତି ତାଲିକା ଦେବା ବ୍ୟବସ୍ଥା ଚାଲିଆସିଛି ।